ପୁଣି ମାସେ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁଣି ମାସେ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ | ପାଖାପାଖି ଗୋଟିଏ ମାସ ବନ୍ଦ ରହିବା ପରେ ଖୋଲିଛି ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଶିମିଳିପାଳ। ଶିମିଳିପାଳ ଖୋଲିବା ନେଇ ନିକଟରେ ପ୍ରଶାସନିକ ସ୍ତରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ୪ ଦଫା ଦାବି ସହିତ ଆନ୍ଦୋଳନ ହୋଇଥିଲା । ସେଥିରେ ଭିତ୍ତିଭୂମି ବିକାଶ ନେଇ ବିଭିନ୍ନ ଦାବି ହୋଇଥିଲା । ସେମଧ୍ୟରେ ରହିଥିଲା ମୁଖ୍ୟ ରାସ୍ତାରେ ମୋରମ ପକାଇବା ଏବଂ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧାଜନକ କାର୍ଯ୍ୟକ୍ରମ କରିବା । ଏ ସମ୍ପର୍କରେ ପ୍ରଶାସନକୁ ପୂର୍ବରୁ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ପରେ ପ୍ରଶାସନ ଏନେଇ ଆଲୋଚନା କରିବା ସହିତ ଦାବିପୂରଣ ନେଇ ପ୍ରତିଶୃତି ଦେଇଥିଲା । କିଛିଦିନ ତଳେ ପର୍ଯ୍ୟଟକମାନେ ଯିବା ରାସ୍ତାକୁ ମୋରମ ପକାଯାଇ ଠିକ୍ କରାଯାଇଛି । ଏଥିସହ ଅନ୍ୟ ସବୁ କାର୍ଯ୍ୟ ଶୀଘ୍ର ହେବ ବୋଲି ଜଣାପଡିଛି ।

ଏକ ମାସ ଧରି ଶିମିଳିପାଳର ୩ଟି ପ୍ରମୁଖ ପଞ୍ଚାୟତ ଗୁରୁଗୁଡ଼ିଆ, ବରେହିପାଣି ଓ ଅସ୍ତକୁମାରର ବାସିନ୍ଦା ୫ ଦଫା ଦାବି ନେଇ ରାସ୍ତାରୋକ ଆନ୍ଦୋଳନ ଆରମ୍ଭ କରିଥିଲେ। ଶିମିଳିପାଳ ବିକାଶ ପରିଷଦ ନେତୃତ୍ୱରେ ଆନ୍ଦୋଳନକାରୀମାନେ ଶିମିଳିପାଳର ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଥିଲେ। ଫଳରେ ପର୍ଯ୍ୟଟନ ଋତୁରେ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଥିଲା।

ମୟୂରଭଞ୍ଜ ଜିଲ୍ଲାରେ କାଳିକା ପ୍ରସାଦଠାରୁ ଗଡ଼ ଶିମିଳିପାଳ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ମରାମତି ଓ ଡ୍ରେନ୍ ନିର୍ମାଣ ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ଥିଲା। ଏହାସହ ଶିମିଳିପାଳର ସବୁ ପଞ୍ଚାୟତରେ ଟେଲିଫୋନ୍ ଟାୱାର ପ୍ରତିଷ୍ଠା, ସ୍ଥାନୀୟ ଅଞ୍ଚଳରେ ଥିବା କାଠ ପୋଲ ବଦଳାଯାଇ କଂକ୍ରିଟ ପୋଲ ନିର୍ମାଣ, ପଞ୍ଚାୟତରେ ରାସ୍ତା ସୁଦୃଢ଼ୀକରଣ ଏବଂ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ସେମାନଙ୍କର ଦାବି ରହିଥିଲା।

ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଥିଲା। ଗ୍ରାମବାସୀମାନେ ନିଜ ଜିଦରେ ଅଟଳ ରହିଥିଲେ। ଏବେ ଆନ୍ଦୋଳନ ବନ୍ଦ ହେବାପରେ ପୁଣି ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.