ଆବେଦନ କରିବାର ଦୀର୍ଘ ବର୍ଷ ପରେ ମଞ୍ଜୁରୀ ହେଉଛି ଭତା ଟଙ୍କା, ବରିଷ୍ଠ ନାଗରିକମାନଙ୍କ ପାଇଁ ଭତାର ପରିମାଣ ବଢ଼ିବ କେବେ? : ତେଜେଶ୍ୱର ପରିଡା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାର ସର୍ବଦା ସାମାଜିକ ସୁରକ୍ଷାର ନୀତିବାଣୀ ଶୁଣାଇବା ସହ କୁମ୍ଭୀର କାନ୍ଧଣା କାନ୍ଧନ୍ତି । ରାଜ୍ୟ ସରକାର ବଡବର୍ଗ ତଥା ବରିଷ୍ଠ ନାଗରିକଙ୍କୁ ବାରମ୍ବାର ଠକି ଚାଲିଛନ୍ତି । ଆଜି ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ । କେଉଁଠି ବୟସ ୬୦ ଅତିକ୍ରମ କରିବାର ଅନେକ ବର୍ଷ ପରେ ମଧ୍ୟ ୫୦୦ଟଙ୍କା ଭତା ମିଳୁନି ତ କେଉଁଠି ୮୦ବର୍ଷ ଅତିକ୍ରମର ଅନେକ ବର୍ଷ ପରେ ମଧ୍ୟ ୭ଶହ ଟଙ୍କା ଭତା ମିଳୁନାହିଁ । ଜନସେବା କେନ୍ଦ୍ରରେ ଗରୀବ ଲୋକେ “ଅନ୍‌ଲାଇନ” ଆବେଦନ କରିବା ପରେ ମାସ ମାସ ଓ ବର୍ଷ ବର୍ଷ ଧରି ବ୍ଲକ, ଜିଲ୍ଲା କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇଯାଉଛନ୍ତି । ଉତର ମିଳୁଛି ଟାର୍ଗେଟ ନାହିଁ ।

ଆବେଦନ ହେବା ସମୟଠାରୁ ଭତା ନମିଳି ୬୦ ବା ୮୦ବର୍ଷ ହେବାର ପ୍ରାୟ ୨ ରୁ ୩ବର୍ଷ ପରେ ମଞ୍ଜୁର ହେବା ସମୟରୁ ଭତା ମିଳୁଛି । ହଜାର ହଜାର ବରିଷ୍ଠ ନାଗରିକ ବର୍ଷ ବର୍ଷ ଧରି ସାମାଜିକ ସୁରକ୍ଷା ସହାୟତାରୁ ବଂଚିତ ହେଉଛନ୍ତି । ୮୦ବର୍ଷ ହେବା ପରେ ମଧ୍ୟ ୭ଶହ ଟଙ୍କା ସହାୟତା ଠିକ୍ ସମୟରେ ମିଳୁନାହିଁ । ଦୀର୍ଘବର୍ଷ ଧରି ଆବେଦନ ପତ୍ର ପଡି ରହିବା ପରେ ଏବେ ନିର୍ବାଚନ ପୂର୍ବରୁ “ମଧୁବାବୁ ପେନସନ” ହିତାଧିକାରୀଙ୍କ ସଂଖ୍ୟା ବଢ଼ାଇବା କଥା ରାଜ୍ୟ ସରକାରଙ୍କୁ ମନେ ପଡିଲା ମାତ୍ର ଏହି ସହାୟତାର ପରିମାଣ ଅନ୍ୟ ରାଜ୍ୟମାନଙ୍କ ଭଳି ୫ଶହ ବା ୭ଶହରୁ ଯଥେଷ୍ଟ ବୃଦ୍ଧି କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର କ୍ରମାଗତ ଭାବରେ ଏଥିପ୍ରତି ଆଖିବୁଜି ଚାଲିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା କହିଛନ୍ତି ।

ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକଭାବେ ଯାଉଥିବା ଯୁବକ ଯୁବତୀମାନଙ୍କର ବୃଦ୍ଧ/ବୃଦ୍ଧା ପିତାମାତାଙ୍କର ଦାୟିତ୍ୱ ନେବା ପାଇଁ ଘରେ କେହି ନାହାନ୍ତି । ଏଭଳି ଦୟନୀୟ ସ୍ଥିତିରେ ଥିବା ବରିଷ୍ଠ ନାଗରିକମାନଙ୍କର ଭତାର ପରିମାଣ ୬୦ ରୁ ୭୯ବର୍ଷ ପର୍ଯ୍ୟନ୍ତ ମାତ୍ର ୫ଶହ ଟଙ୍କା ଓ ୮୦ବର୍ଷରୁ ଊର୍ଦ୍ଧ୍ୱମାନଙ୍କ ପାଇଁ ମାତ୍ର ୭ଶହ ଟଙ୍କା । ଅନ୍ୟ ରାଜ୍ୟମାନଙ୍କରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସହାୟତା ପରିମାଣ ଯଥେଷ୍ଟ ଅଧିକ ହୋଇଥିବାବେଳେ ଓଡ଼ଶାରେ ଏହା ଏତେ କମ୍ କାହିଁକି? ଏଥିପାଇଁ ବିଜେପି ଓ ବିଭିନ୍ନ ବରିଷ୍ଠ ନାଗରିକ ସଂଗଠନମାନେ ବାରମ୍ବାର ଦାବି କରିଆସୁଛନ୍ତି ବୋଲି ଶ୍ରୀ ପରିଡା କହିଛନ୍ତି ।

ଅନେକ ସାମାଜିକ ନିରାପତା ବା ସାମାଜିକ ସୁରକ୍ଷା ଯୋଜନାରୁ ବିଭିନ୍ନ ବର୍ଗର ବରିଷ୍ଠ ନାଗରିକମାନେ ଏବେବି ବଂଚିତ । ବରିଷ୍ଠ ନାଗରିକମାନଙ୍କ ପାଇଁ ଓଡ଼ିଶାରେ ‘ରାଜ୍ୟ ବରିଷ୍ଠ ନାଗରିକ ଆୟୋଗ’ ଗଠନ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଦିଗରେ ସମ୍ପୂର୍ଣ୍ଣ ନୀରବ ଅଛନ୍ତି । ରାଜ୍ୟର ବରିଷ୍ଠ ନାଗରିକମାନଙ୍କର ସାମାଜିକ ସୁରକ୍ଷା ବା ସାମାଜିକ ନିରାପତା ପାଇଁ ରାଜ୍ୟ ସରକାର କାହିଁକି ଏତେ ସମ୍ବେଦନହୀନ? ବାରମ୍ବାର ଦାବି ସତ୍ୱେ ମଧ୍ୟ ଓଡ଼ିଶାରେ ୬୦ ବର୍ଷ ଓ ୮୦ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ପାଇଁ ଭତାର ପରିମାଣ ଯଥାକ୍ରମେ ୫ଶହ ଓ ୭ଶହ ଟଙ୍କାରେ ଅଟକି ଯାଇଛି କାହିଁକି? ରାଜ୍ୟ ସରକାର ସାହସ ଦେଖାଇ ଏହାର ଉତର ରଖନ୍ତୁ । କୁମ୍ଭକର୍ଣ୍ଣ ନିନ୍ଦ୍ରା ଭଙ୍ଗ କରି ରାଜ୍ୟ ସରକାର ବରିଷ୍ଠ ନାଗରିକମାନଙ୍କର ସ୍ୱର ଶୁଣନ୍ତୁ ଓ ତୁରନ୍ତ ନ୍ୟାୟ ଦିଅନ୍ତୁ ବୋଲି ଶ୍ରୀ ପରିଡା କହିଛନ୍ତି ।

Leave A Reply

Your email address will not be published.