ବିବାଦ ପରେ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି ର ପୁନର୍ବିଚାର ହେବ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବିବାଦ ପରେ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି ର ପୁନର୍ବିଚାର ହେବ । ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି । ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିର ସଂଶୋଧନ ପାଇଁ ଉପଦେଷ୍ଟା ପରିଷଦ ନିକଟକୁ ପଠାଯାଇଛି । ସୂଚନା ଅନୁସାରେ ଆଦିବାସୀ ଜମି ବିକ୍ରି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିବାର ୪୮ ଘଣ୍ଟା ପରେ ରୋକ୍ ଲାଗିଥିଲା ।

ଆଦିବାସୀ ଜମିଜମା ବିକ୍ରି ସଂଶୋଧନ ପ୍ରସ୍ତାବକୁ ଗତ ୧୪ ତାରିଖରେ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ପ୍ରସ୍ତାବରେ ଉଲ୍ଲେଖ ଥିଲା। ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । ଏନେଇ କ୍ୟାବିନେଟ୍ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ରାଜନୀତି ତେଜିଥିଲା । ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ନିଷ୍ପତ୍ତିକୁ କଡା ବିରୋଧ କରାଯାଇଥିଲା ।

କିନ୍ତୁ ୧୬ ତାରିଖରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଟ୍ୱିଟ୍ କରି ଏହି କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିବା ସୂଚନା ଦେଇଥିଲେ । କିନ୍ତୁ ଏହି ନିଷ୍ପତ୍ତିକୁ ସ୍ଥଗିତ ନୁହେଁ ବରଂ ପ୍ରତ୍ୟାହୃତ କରିବାକୁ କହି ବିଧାନସଭାରେ ବିରୋଧ କରିଥିଲେ ବିରୋଧୀ । ଗତ ତିନି ଦିନ ହେବ ଆଦିବାସୀଙ୍କ ଜମି ହସ୍ତାନ୍ତରକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହରେ ତୁମ୍ବି ତୋଫାନ କରିଥିଲେ ବିରୋଧୀ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟ । ଫଳରେ ଗୃହକାର୍ୟ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ।

Leave A Reply

Your email address will not be published.