ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁର୍ଘଟଣାରେ ବାପ-ପୁଅ ମୃତ | ଖବର ଶୁଣି ହୃଦଘାତରେ ଚାଲିଗଲା ଦାଦାଙ୍କ ଜୀବନ | ତେବେ ସୂଚନା ମୁତାବକ, ସଡ଼କ ଦୁର୍ଘଟଣାରେ ବଡ଼ ଭାଇ ଓ ପୁତୁରାଙ୍କ ମୃତ୍ୟୁ ଘଟିଥିବା ଖବର ପାଇ ଜଣେ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ମୃତକମାନେ ହେଉଛନ୍ତି- କାଣ୍ଡେ ମୁଣ୍ଡା, ତାଙ୍କ ପୁଅ ଲକ୍ଷ୍ମଣ ମୁଣ୍ଡ ଓ ଲକ୍ଷ୍ମଣଙ୍କ ଦାଦା ସମରା ମୁଣ୍ଡା। ସମସ୍ତଙ୍କ ଘର ବାରିଗାଁରେ।
ଘଟଗାଁ ଥାନା ପିପିଳିଆ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏକ ରଡ୍ ବୋଝେଇ ଟ୍ରକ୍ ଧକ୍କାରେ ବାରିଗାଁର ବାପ-ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କାଣ୍ଡେ ମୁଣ୍ଡା ଓ ତାଙ୍କ ପୁଅ ଲକ୍ଷ୍ମଣ । ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିଲେ ବାପ-ପୁଅ। ଏହି ସମୟରେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାପପୁଅ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।
ଏହି ଖବର ଗାଁରେ ପହଞ୍ଚିବା ପରେ ଲକ୍ଷ୍ମଣଙ୍କ ଦାଦା ସମରା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ସମରାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି । ଘଟଣା ପରେ ଉତ୍ତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ NH – ୨୦ ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।