ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଉ ଥରେ ପୁଣି ସ୍ଥିର ରହିଲା ରେପୋ ରେଟ୍ । କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟ୍ ବା ବ୍ୟାଙ୍କ ସୁଧହାର ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । କେନ୍ଦ୍ରୀୟ ବ୍ୟାଙ୍କର ୬ ଜଣିଆ ମୁଦ୍ରାନୀତି କମିଟି (MPC) ବୈଠକରେ ସର୍ବସମ୍ମତିକ୍ରମେ ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଆଜି (ଶୁକ୍ରବାର) ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ।
ଦେଶରେ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ୨୦୨୩-୨୪ ଆର୍ଥିକ ବର୍ଷର ପଞ୍ଚମ ମୁଦ୍ରାନୀତି ବୈଠକରେ ସୁଧହାର ସ୍ଥିର ରହିବା ନେଇ ପୂର୍ବରୁ ଅର୍ଥନୀତିଜ୍ଞମାନେ ମଧ୍ୟ ଆକଳନ କରିଥିଲେ । ଏହାସହିତ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ଆର୍ଥିକ ଅଭିବୃଦ୍ଧି ଦର ୬.୫ ପ୍ରତିଶତରୁ ୭ ପ୍ରତିଶତ କରି ଦିଆଯାଇଛି । ସେହିପରି ଖୁଚୁରା ମୁଦ୍ରାସ୍ଫିତି ଆନୁମାନିକ ୫.୪ ପ୍ରତିଶତରେ ସ୍ଥିର ରହିଛି । ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବାବଦରେ ଆରବିଆଇ ଗଭର୍ଣ୍ଣର ସୂଚନା ଦେଇ କହିଛନ୍ତି, ଘରୋଇ ଆବଶ୍ୟକତା ପାଇଁ ଭାରତୀୟ ଅର୍ଥ ବ୍ୟବସ୍ଥା ମଜବୁତ୍ ହେବାରେ ଲାଗିଛି ।
ଲଗାତାର ଖର୍ଚ୍ଚ କମ୍ ଯୋଗୁ ନିର୍ମାଣ କ୍ଷେତ୍ର ସୁଦୃଢ ହେଉଛି । ଆରବିଆଇ ଗଭର୍ଣ୍ଣରଙ୍କ କହିବା ଅନୁଯାୟୀ, ସ୍ଥାୟୀ ଜମା ରାଶି ସୁଧ ହାର ୬.୨୫ ପ୍ରତିଶତ ଏବଂ ବ୍ୟାଙ୍କ ସୁଧ ହାର ୬.୭୫ ପ୍ରତିଶତରେ ସ୍ଥିର ରହିଛି । ନିବେଶ କ୍ଷେତ୍ର ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଆଗ୍ରୋ କ୍ରେଡିଟ୍ ଗ୍ରୋଥ୍ ହେବା ନେଇ ଅନୁମାନ କରାଯାଉଛି । ଅନ୍ୟପଟେ ରେପୋ ରେଟ୍ ୬.୫ ପ୍ରତିଶତ ସ୍ଥିର ରହିବାର ମାନେ ଘର, ଗାଡ଼ି ସମେତ ବିଭିନ୍ନ ପ୍ରକାର ଲୋନ୍ର ମାସିକ ଇଏମଆଇରେ କୌଣସି ପରିବର୍ତ୍ତନ ହେବ ନାହିଁ । ତିନି ଦିନ ଧରି ମୌଦ୍ରିକ ନୀତି ସମୀକ୍ଷାର ବୈଠକ ବସିଥିଲା । ଏଥିରେ ବହୁ ନିଷ୍ପତ୍ତି ନିଆଯାଇଛି ।