ସରୁନି ଭଞ୍ଜନଗର କ୍ଷୁଦ୍ର ଜଳ ସେଚନ ବିଭାଗ ଯନ୍ତ୍ରୀଙ୍କ ଗଛିତ ଟଙ୍କାର ହିସାବ, ଆଜି ପୁଣି ୧ କୋଟି ୪ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନଗଦ ଟଙ୍କା ଜବତ ଘଟଣାରେ ରେକର୍ଡ। ଜବତ ହେଲା ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ଟଙ୍କା।ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ପୁଣି ମିଳିଲା ୧ କୋଟି ୪ ଲକ୍ଷ ଟଙ୍କା। ଭୁବନେଶ୍ୱର ସାଲିଆ ସାହିରୁ ମିଳିଛି ଏହି ଟଙ୍କା। ଦିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀ ଘରୁ ମିଳିଲା ଏହି ଟଙ୍କା।ପୋଖରୀପୁଟରେ କିଣିଛନ୍ତି ଆଉ ଏକ ତିନି ମହଲା ଘର। ସେଥିପାଇଁ ଦେଇଛନ୍ତି ୭୮ ଲକ୍ଷ ୫୦ ହଜାର ଟଙ୍କା। ସିସିଟିଭି ଫୁଟେଜ ଆଧାରରେ ଭିଜିଲାନ୍ସକୁ ମିଳିଛି ଏହି ସଫଳତା। କଳ୍ପନା ପ୍ରଧାନଙ୍କ ଘର ରେଡ଼ ପୂର୍ବରୁ ସେ ଭଉଣୀକୁ ଡାକି ଦେଇଥିଲେ ୧ କୋଟି ୪୦ ଲକ୍ଷ। ସାଲିଆ ସାହିରେ ରହୁଥିବା ଭଉଣୀକୁ ବ୍ୟାଗରେ ଭର୍ତ୍ତି କରି ଦେଇଥିଲେ ଟଙ୍କା। ଟାଟା ଆରିଆନା କଂପ୍ଲେକସ ସିସିଟିଭି ଫୁଟେଜ ଚିତ୍ରରୁ ଜାଣିଲା ଭିଜିଲାନ୍ସ। ଗତକାଲି ରାତିରେ କଳ୍ପନା ପ୍ରଧାନଙ୍କୁ ଜେରା ବେଳେ ଭଉଣୀକୁ ଦେଇଥିବା ସ୍ୱୀକାର କଲା କଳ୍ପନା।
କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କର ଘରୁ ପୂର୍ବରୁ ନଗଦ ୨ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ। କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ପାଖରେ ଥିଲା ଏହି ସବୁ ନଗଦ ଟଙ୍କା। କଳିଙ୍ଗ ବିହାର ସ୍ଥିତ ଟାଟା ଆରିଆନ ଫ୍ଲାଟରେ ଚଢ଼ାଉ କରି ଏହା ଧରିଛି ଭିଜିଲାନ୍ସ। ତା ସହ ୫୮୦ ଗ୍ରାମର ୨୦ ଟି ସୁନା ବିସ୍କୁଟ ମଧ୍ୟ ମିଳିଛି।
ପୂର୍ବରୁ ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାଶଙ୍କ ଠାରୁ ଗତ ୨୯ ତାରିଖରେ ସର୍ବାଧିକ ୧ କୋଟି ୩୬ ଲକ୍ଷ ସର୍ବାଧିକ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ତା ପୂର୍ବରୁ ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ଘରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ଧରିଥିଲା ଭିଜିଲାନ୍ସ।