ପୁଣି ଅର୍ଚ୍ଚନା ନାଗଙ୍କ ବିସ୍ଫୋରକ ବୟାନ, ଶ୍ରଦ୍ଧାଞ୍ଜଳିଙ୍କ ପଛରେ ଜଣେ କ୍ଷମତାଶାଳୀ ବ୍ୟକ୍ତିଙ୍କ ହାତ ରହିଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଅର୍ଚ୍ଚନା ନାଗଙ୍କ ବିସ୍ଫୋରକ ବୟାନ। କୋର୍ଟ ପରିସରରେ ହାଇଡ୍ରାମା। ଅର୍ଚ୍ଚନାଙ୍କ ଟାର୍ଗେଟରେ ଶ୍ରଦ୍ଧାଞ୍ଜଳି ବେହେରା। କାହିଁକି ଶ୍ରଦ୍ଧାଞ୍ଜଳିକୁ ଏଯାଏ ଗିରଫ କରାଯାଉନାହିଁ? କୋର୍ଟରୁ ବାହାରିବା ପରେ ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା ନାଗ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପିଏମଏଲଏ ଓ ଖଣ୍ଡଗିରି ଥାନା କେସ୍‌ରେ ଆଜି ସିବିଆଇ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ। କୋର୍ଟରୁ ବାହାରିବା ପରେ ଅର୍ଚ୍ଚନା ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଶ୍ରଦ୍ଧାଞ୍ଜଳିଙ୍କ ପଛରେ ଜଣେ କ୍ଷମତାଶାଳୀ ବ୍ୟକ୍ତିଙ୍କ ହାତ ରହିଛି । ଶ୍ରଦ୍ଧାଞ୍ଜଳିଙ୍କ ପାଇଁ କଣ ଅଲଗା ଆଇନ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହା ସହ ଶ୍ରଦ୍ଧାଞ୍ଜଳିଙ୍କୁ ଜଣେ ବ୍ୟବସାୟୀଙ୍କ ସହ ହନିମୁନ ପ୍ୟାକେଜରେ ପଠାଇଥିବା ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଅର୍ଚ୍ଚନାଙ୍କ ସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ଶ୍ରଦ୍ଧାଞ୍ଜଳି ଇଡି ମାମଲାରେ ଅଭିଯୁକ୍ତ ଥିବା ସତ୍ତ୍ୱେ ତାଙ୍କୁ ଏପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିମ୍ବା ରାଜ୍ୟ ପୋଲିସ ଗିରଫ କରିନଥିବା କୋର୍ଟଙ୍କୁ ଅଭିଯୋଗ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ।

ଇଡିର ପିଏମଏଲଏ ଓ ଖଣ୍ଡଗିରି ଥାନା ମାମଲାରେ ସିବିଆଇ କୋର୍ଟରେ ବ୍ୟକ୍ତିଗତ ହାଜର ହୋଇଥିଲେ ଅର୍ଚ୍ଚନା। ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ନାଁରେ ବ୍ଲାକମେଲିଂ, ହନିଟ୍ରାପ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ଶ୍ରଦ୍ଧାଞ୍ଚଳି ବେହେରା। କିନ୍ତୁ ଭୁବନେଶ୍ୱର କୋର୍ଟରେ ହାଜର ନହେବାକୁ ପିଟିସନ ଦାଖଲ କରିଥିଲେ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ। କୋର୍ଟ ପିଟିସନକୁ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲା ହାଇକୋର୍ଟରେ ଶୁଣାଣି ହୋଇନଥିବାରୁ ହାଜର ପାଇଁ ସିବିଆଇ କୋର୍ଟରେ ଅତିରିକ୍ତ ୧୫ଦିନ ସମୟ ଦେବାକୁ ଶ୍ରଦ୍ଧାଞ୍ଜଳିଙ୍କ ପକ୍ଷରୁ ପିଟିସନ ଦାଖଲ କରିଛନ୍ତି ତାଙ୍କ ଓକିଲ। ଆବଶ୍ୟକ ପଡ଼ିଲେ ସେ କୋର୍ଟରେ ହାଜର ହେବେ ବୋଲି କହିଛନ୍ତି।

ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ସାମନାକୁ ଆସିଥିଲା ଅର୍ଚ୍ଚନା ନାଗର କଳାକାରନାମା। ଏନେଇ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ଅକ୍ଟୋବର ୭ରେ ଅର୍ଚ୍ଚନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ପରେ ଆର୍ଥିକ କାରବାର ନେଇ ଇଡି ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ।

Leave A Reply

Your email address will not be published.