ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ‘କୃଷି ସମୀକ୍ଷା କେନ୍ଦ୍ର’ ମାଧ୍ୟମରେ କୃଷି ମନ୍ତ୍ରୀଙ୍କ ଖରିଫ ଚାଷର ସମୀକ୍ଷା, କୃଷି ସାମଗ୍ରୀ ସୁବିଧାରେ ଚାଷୀଙ୍କ ନିକଟରେ ପହଞ୍ଚାଇବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଚଳିତ ଖରିଫରେ ମୌସୁମୀ ବର୍ଷାର ବିଳମ୍ବ ପରିପ୍ରେକ୍ଷୀରେ ଜିଲ୍ଲାରେ ବୃଷ୍ଟିପାତକୁ ଆଖି ଆଗରେ ରଖି ଚାଷୀମାନଙ୍କୁ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଣ ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ଚାଷୀମାନଙ୍କ ଆବଶ୍ୟକତା ଅନୁସାରେ ବିହନ ଓ ସାର ଏବଂ ଫସଲ ଋଣ ସୁବିଧାରେ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି କୃଷି ଭବନସ୍ଥିତ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ କୃଷି ସମୀକ୍ଷା କେନ୍ଦ୍ର ମାଧ୍ୟମରେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଖରିଫ ଚାଷ ଓ ଅନ୍ୟାନ୍ୟ ଯୋଜନା ସଂପର୍କରେ ସମୀକ୍ଷା କରିଥିଲେ ।

ଆଜିଠାରୁ ସାରା ରାଜ୍ୟରେ ମୌସୁମୀଜନିତ ବର୍ଷା ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ତଳିପକା କାର୍ଯ୍ୟ ଓ ରୋଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଜିଲ୍ଲାଗୁଡ଼ିକରେ ବୃଷ୍ଟିପାତର ସ୍ଥିତି ସମ୍ବନ୍ଧରେ ସମୀକ୍ଷା କରିଥିଲେ ଓ ସମ୍ଭାବ୍ୟ ଶୁଷ୍କ ପରିସ୍ଥିତି ଉପୁଜିଲେ ତାହାର ଉପଯୁକ୍ତ ପରିଚାଳନା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେ ଇଥିଲେ । ଏହି ଅବ ସର ରେ ମନ୍ତ୍ରୀ ରଣେନ୍ଦ୍ରସ୍ୱାଇଁ ବିଭିନ୍ନ ଜିଲ୍ଲାର ଫସଲ ଚାଷର ସଦ୍ୟତ ମ ସ୍ଥିତି, ବିହନ ଓ ସାରର ଯୋଗାଣ, ସବୁଜ ସାର ଧନିଚା ଚାଷ, ଆଳୁ, ପନିପରିବା ଓ ମସଲା ଚାଷର ପ୍ରଗତି ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଫାର୍ମପଣ୍ଡ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରିଥିଲେ ।

ସୂଚନାଯୋଗ୍ୟ ଯେ ଆଗାମୀ ଦିନରେ ଚାଷୀଙ୍କୁ କିଭଳି ସରକାରଙ୍କ ସମସ୍ତ ସହାୟତା ହାତପାଆନ୍ତାରେ ମିଳିବ ଏବଂ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରାଯାଇପାରିବ, କୃଷି କାର୍ଯ୍ୟକ୍ରମରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଓ ବୈଷୟିକ ପଦ୍ଧତିର ବିଶ୍ଳେଷଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ସମୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କୃଷି ସମୀକ୍ଷା କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୨୦୨୩ ମସିହା ଅପ୍ରେଲ ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଶୁଭ ଉଦ୍‌ଘାଟନ କରିଥିଲେ । କୃଷି କ୍ଷେତ୍ରରେ ସମନ୍ୱିତ କମାଣ୍ଡ ଓ କଣ୍ଟ୍ରୋଲ ସୁବିଧା ଏହି କୃଷି ସମୀକ୍ଷା କେନ୍ଦ୍ରରେ ରହିଛି ।

କ୍ଷେତ୍ରସ୍ତରରୁ କୃଷି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କିତ ସଦ୍ୟତମ ତଥ୍ୟ ସଂଗ୍ରହ କରି ସେଗୁଡ଼ିକ କୃଷି ସମୀକ୍ଷା କେନ୍ଦ୍ରର ଡିଜିଟାଲ ପ୍ଲାଟ୍‌ଫର୍ମରେ ବିଶ୍ଳେଷଣ କରି ସମସ୍ତ କାର୍ଯ୍ୟକୁ ସମୀକ୍ଷା କରିବା ସହିତ ତ୍ୱରିତ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ ଏହି କୃଷି ସମୀକ୍ଷା କେନ୍ଦ୍ର ସହାୟକ ହୋଇପାରିଛି ବୋଲି ମନ୍ତ୍ରୀ ରାଜା ସ୍ୱାଇଁ କହିଛନ୍ତି । ବିଭିନ୍ନ ପ୍ରକାରର ବିପର୍ଯ୍ୟୟ, ପାଣିପାଗ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଓ କୃଷିକାର୍ଯ୍ୟରେ ଏହାର ପ୍ରଭାବ ନିର୍ଣ୍ଣୟ କରିବାରେ ସମୀକ୍ଷା କେନ୍ଦ୍ର
ସହାୟକ ହୋଇଥାଏ । ଏହା ଦ୍ୱାରା କୃଷିକାର୍ଯ୍ୟକୁ ତଦାରଖ, ଉତ୍ତରଦାୟୀ ଓ ସ୍ୱଚ୍ଛ ଓ ବିଜ୍ଞାନଭିତ୍ତିକ ନିଷ୍ପତ୍ତି ନେବାରେ ସହାୟତା ଯୋଗାଇଥାଏ ବୋଲି ମନ୍ତ୍ରୀ ରାଜା ସ୍ୱାଇଁ କହିଛନ୍ତି ।

କୃଷକ ଓ କୃଷି କ୍ଷେତ୍ରରେ ଏହାର ଯଥେଷ୍ଟ ଉପଯୋଗ ରହିଥିବାରୁ ଭବିଷ୍ୟତରେ କୃଷି ସମୀକ୍ଷା କେନ୍ଦ୍ରର କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରାଯିବାର ଯୋଜନା ରହିଛି ବୋଲି ମନ୍ତ୍ରୀ ରାଜା ସ୍ୱାଇଁ କହିଛନ୍ତି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଖରିଫ ଚାଷର ସଦ୍ୟତମ ସ୍ଥିତି ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ଓ ଜଳବିଭାଜିକା ନିର୍ଦ୍ଦେଶକ ଶୁଭମ୍‌ ସାକ୍‌ସେନାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଯୋଗଦେଇଥିଲେ ।

Leave A Reply

Your email address will not be published.