‘ଚାକିରି କରିବାଠୁ ଚାକିରି ଦେବା ଉପରେ ଲକ୍ଷ୍ୟ ରଖ’ ମହର୍ଷି କଲେଜ ଅଫ୍ ନେଚୁରାଲ୍ ଲ’ର ବାର୍ଷିକ ଉତ୍ସବରେ କହିଲେ ଆକାଶ ଦାସ ନାୟକ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାଠପଢ଼ା ପରେ କେବଳ ଚାକିରି ପଛରେ ଦୌଡ଼ ନାହିଁ । ନିଜକୁ ଏମିତି ଭାବେ ଏବେଠୁ ତିଆରି କର, ଯେପରି ଭବିଷ୍ୟତରେ ତୁମେ ନିଜେ ରୋଜଗାର କରିବା ସହ ଆଉ ୧୦ ଜଣଙ୍କୁ ଚାକିରି ଦେଇପାରୁଥିବ । ଏମିତି ଲକ୍ଷ୍ୟ ନେଇ ଯଦି ଆମେ ସମସ୍ତେ ପ୍ରୟାସ କରିବା ତେବେ ଖୁବ୍ଶୀଘ୍ର ଏକ ସୁବର୍ଣ୍ଣ ଓଡ଼ିଶା ଗଠନ ହୋଇପାରିବ । ମହର୍ଷି କଲେଜ୍ ଅଫ୍ ନେଚୁରାଲ୍ ଲ’ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏହି ପ୍ରେରଣା ଦେଇଛନ୍ତି ।
କଲେଜର ବାର୍ଷିକ ଉତ୍ସବରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ଶ୍ରୀ ଦାସନାୟକ କହିଲେ, ଏହି କଲେଜରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ପାଠ ପଢ଼ି ନିଜର ଭବିଷ୍ୟତ ଗଢ଼ିଛନ୍ତି । ଏହି ପୁରାତନ ଛାତ୍ରଛାତ୍ରୀମାନେ କଲେଜକୁ ଆସି ଯଦି ସେମାନଙ୍କର ଅଭିଜ୍ଞତାକୁ ପିଲାଙ୍କ ସହ ବାଣ୍ଟିବେ ତେବେ ଛାତ୍ରଛାତ୍ରୀ ଏହାଦ୍ୱାରା ବହୁତ ଉପକୃତ ହେବେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ କହିଲେ, ଆମର ଲକ୍ଷ୍ୟ ହେଉଛି ମହର୍ଷି କଲେଜକୁ ବିଶ୍ୱବିଦ୍ୟାଳୟ ଭାବେ ଗଢ଼ି ତୋଳିବା । ଏହି କଲେଜର ଡେୟାର ଡେଭିଲ୍ସ ଟିମ୍ ହେଉଛନ୍ତି ଓଡ଼ିଶାର ଗର୍ବ ଆଉ ଗୌରବ । ସେମାନେ କେବଳ ଓଡ଼ିଶା ନୁହେଁ ସାରା ଦେଶରେ ନାଁ କରିଛନ୍ତି । ଏହି ଅବସରରେ ବିଧାୟକ କଲେଜର ଭିତ୍ତିଭୂମିର ବିକାଶ ସହ ପୁରାତନ ଛାତ୍ର ପରିଷଦକୁ ପରିଚାଳନା କରିବାକୁ କଲେଜ ପରିସରରେ ଏକ ସ୍ୱତନ୍ତ୍ର କକ୍ଷ ତିଆରି କରିବାକୁ ଯନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନ୍ନିତ ଅତିଥି ଭାବେ ଓଡ଼ିଶା ଯୋଜନା ବୋର୍ଡର ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ, ବିଏମ୍ସି ୩୦ ନମ୍ବର ୱାର୍ଡର କର୍ପୋରେଟର ରାଜ କିଶୋର ଦାସ, ୪୩ ନମ୍ବର ୱାର୍ଡର କର୍ପୋରେଟର ଭରତ କୁମାର ଲେଙ୍କାଙ୍କ ସମେତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ କଲେଜର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । କଲେଜର ଅଧ୍ୟକ୍ଷା ନଳିନୀପ୍ରଭା ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପକ ବିବେକାନନ୍ଦ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।