କୁସ୍ତି ମହାସଂଘର ସଭାପତିଙ୍କୁ କଠୋର ଶାସ୍ତି ଓ କୁସ୍ତିବିତ୍ ମାନଙ୍କୁ ନ୍ୟାୟ ସହ ସୁରକ୍ଷା ପାଇଁ ଅଣ୍ଟା ଭିଡିଲା AIMSS, ଭୁବନେଶ୍ବରରେ କଲା ପ୍ରତିବାଦ

0

ଭୁବନେଶ୍ବର(କେନ୍ୟୁଜ୍):ମହିଳା କୁସ୍ତିବିତ୍ ମାନଙ୍କୁ ଯୌନ ଶୋଷଣ ପ୍ରତିବାଦରେ ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା କୁସ୍ତିବିତ୍ ମାନଙ୍କର ଆନ୍ଦୋଳନକୁ ଦୃଢ ସମର୍ଥନ ଜଣାଇଛି ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ। ସଙ୍ଗଠନ ର ସର୍ବଭାରତୀୟ କମିଟି ନିଷ୍ପତ୍ତି କ୍ରମେ ଏପ୍ରିଲ ୨୯, ୨୦୨୩ ରେ ସାରା ଭାରତ ସଂହତି ଦିବସ ପାଳନ କରାଯାଇଛି।‌

ଏହି ଅବସରରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ଭୁବନେଶ୍ବର ସିଟି କମିଟି ପକ୍ଷରୁ ସିଟି କମିଟି ର ସଭାନେତ୍ରୀ ନିୟତି ଜାନା ଙ୍କ ସଭାପତିତ୍ବରେ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଙ୍ଗଠନ ର ସମ୍ପାଦିକା ବିଜୟଲକ୍ଷ୍ମୀ ପାତ୍ର, ପ୍ରଭା ମଞ୍ଜୁଳା ବ୍ରହ୍ମ, ପ୍ରବାସିନି ରାଉଳ,ସୁନିତା ପାଣିଗ୍ରାହୀ ପ୍ରମୁଖ ଏହି ବିକ୍ଷୋଭ ର ନେତୃତ୍ବ ନେଇଥିଲେ।

ପ୍ରକାଶ ଥାଉ କି ଭାରତୀୟ କୁସ୍ତି ଫେଡେରେସନ WFI ର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ମହିଳା କୁସ୍ତିବିତ୍ ମାନଙ୍କୁ ଯୌନ ଶୋଷଣ କରୁଥିବା ବିରୁଦ୍ଧରେ ଗତ ଜାନୁଆରୀ ମାସରେ ମହିଳା କୁସ୍ତି ବିତ୍ ମାନେ ଆନ୍ଦୋଳନ କରିଥିଲେ ଏବଂ ସରକାର ଘଟଣା ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ମାସ ସମୟ ନେଇଥିଲେ। ମାତ୍ର ସେ ଦିଗରେ ସରକାର କୋୖଣସି ପଦକ୍ଷେପ ନ ନେବାରୁ ୭ ଜଣ ମହିଳା କୁସ୍ତିବିତ୍ ଦିଲ୍ଲୀ ରଏକ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ମାମଲା ରୁଜୁ କରିବା ପାଇଁ ମନା କରିଦେଇଥିଲେ। ଏଣୁ ଏପ୍ରିଲ ୨୧ ତାରିଖରୁ ପୁନର୍ବାର ମହିଳା କୁସ୍ତିବିତ୍ ମାନେ ଯନ୍ତର ମନ୍ତର ଠାରେ ଧାରଣା ଦେଇ ଦିବା ରାତ୍ରି ଖୋଲା ଆକାଶ ତଳେ ପଡି ରହିଛନ୍ତି। ସେମାନଙ୍କ ସମର୍ଥନରେ ପୁରୁଷ କୁସ୍ତିବିତ୍, ବହୁ କ୍ରୀଡାବିତ୍,ବିଭିନ୍ନ ସଙ୍ଗଠନ, ବହୁ ବୁଦ୍ଧିଜୀବୀ ଓ ଶୁଭବୁଦ୍ଧି ସମ୍ପନ୍ନ ଜନସାଧାରଣ ତଥା ମହିଳା ସଙ୍ଗଠନ ମାନେ ଆଗେଇ ଆସିଛନ୍ତି। ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ, ଦିଲ୍ଲୀ ୟୁନିଟ୍ ମଧ୍ୟ ସେମାନଙ୍କ ସହିତ ରହିଛି।

ଆଜି ଦେଶର କୌଣସି ସ୍ଥାନରେ ବି ମହିଳା ମାନେ ସୁରକ୍ଷିତ ନୁହନ୍ତି। ଛୋଟ ଶିଶୁ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ଯୌନ ଶୋଷଣ ର ଶୀକାର ହେଉଛନ୍ତି। ଅଲିମ୍ପିକ ପଦକ ସହିତ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ବହୁ ପଦକ ଜିତି ସାରା ବିଶ୍ଵରେ ନିଜ ଦେଶକୁ ଗୌରବାନ୍ବିତ କରିଥିବା କୁସ୍ତିବିତ୍ ମାନେ ଯଦି ଏପରି ଅସୁରକ୍ଷିତ ତେବେ ସାଧାରଣ ମହିଳା ମାନଙ୍କର ସ୍ଥିତି କେତେ ଭୟଙ୍କର ତାହା ସହଜରେ ଅନୁମେୟ ବୋଲି ବକ୍ତାମାନେ କହିଛନ୍ତି। ଏହି ଘଟଣା ତଥା ଉତ୍ତର ପ୍ରଦେଶର ଉନ୍ନାଓ,ହାଥରସ୍,ବିଲ୍ କିସ୍ ବାନୋ ଆଦି ଘଟଣାର ଅବତାରଣା କରି ମୂଲ୍ୟ ବୋଧ ରାଜନୀତିର ଡିଣ୍ଡିମ ପିଟୁଥିବା ଏବଂ ନାରୀ ଙ୍କୁ ଦେବୀ ଆଖ୍ୟା ଦେଉଥିବା ବିଜେପି ଦଳ ର ଅସଲ ଚେହେରା ବାରିହୋଇ ପଡ଼ୁଛି ବୋଲି ବକ୍ତା ମାନେ କହିଥିଲେ।

ନ୍ୟସ୍ତ ସ୍ୱାର୍ଥ ସାଧନ ପାଇଁ ଶାସକ ଦଳର ବାହୁଛାୟା ତଳେ ଏହିପରି ଅନେକ ଅପରାଧୀ ଲାଳିତ ପାଳିତ ହେଉଛନ୍ତି ଓ ଅନେକ ଜଘନ୍ୟ ଅପରାଧୀ ମାନଙ୍କୁ ଆଇନ ର ଦ୍ୱାହି ଦେଇ ଜେଲରୁ ମୁକ୍ତ କରିଦିଆଯାଇଛି। ଏହିପରି ପରିସ୍ଥିତି ରେ କୁସ୍ତି ଫେଡେରେସନ ର ସଭାପତି ଙ୍କୁ ଅବିଳମ୍ବେ ବହିଷ୍କାର କରିବା ସହ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବା,ମହିଳା କୁସ୍ତିବିତ୍ ମାନଙ୍କର ନ୍ୟାୟସଙ୍ଗତ ଦାବି କୁ ସରକାର ମାନିନେବା ସହିତ ମହିଳା କୁସ୍ତି ବିତ୍ ମାନଙ୍କ ସମେତ ସମଗ୍ର ନାରୀ ସମାଜ କୁ ସୁରକ୍ଷା ପ୍ରଦାନ ପାଇଁ ସଙ୍ଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି।

Leave A Reply

Your email address will not be published.