ଓଡ଼ିଆ ନ୍ୟୁଜ୍: ପଞ୍ଚଭୂତରେ ବିଲୀନ ହେଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ବାରାମତୀ ବିଦ୍ୟା ପ୍ରତିଷ୍ଠାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ।ମୁଖାଗ୍ନି ଦେଲେ ଦୁଇ ପୁଅ ପାର୍ଥ ଓ ଜୟ। ଅଜିତ ଦାଦାଙ୍କୁ ଝୁରୁଛନ୍ତି ପ୍ରଶଂସକ, ବାରାମତୀ ଜନ ସମୁଦ୍ର।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଉପସ୍ଥିତ।
ବୁଧବାର ସକାଳେ ବିମାନ ଦୁର୍ଘଟଣାରେ ୬୬ ବର୍ଷରେ ଅଜିତ ପାୱାରଙ୍କ ପରଲୋକ ଘଟିଥିଲା। ବିମାନରେ ତାଙ୍କ ସହିତ ଉପସ୍ଥିତ କ୍ୟାପଟେନ୍ ସୁମିତ କପୁର, ପ୍ରଥମ ଅଫିସର ସମ୍ଭାବୀ ପାଠକ, ଫ୍ଲାଇଟ ଆଟେଡାଣ୍ଟ ପିଙ୍କି ମାଲି ଓ ଅଜିତ ପାୱାରଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବିଧିତ୍ ଜାଧବଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଗୁରୁବାର ପାୱାର ପରିବାର ଦ୍ବାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିଦ୍ୟା ପ୍ରତିଷ୍ଠାନଠାରେ ଦଳୀୟ କର୍ମୀ, ସ୍ଥାନୀୟ ଲୋକ, ନେତା, ସମର୍ଥକ ଓ ରାଜନେତାଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଏନ୍ସିପି ମୁଖ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସକାଳ ୯ଟା ପର୍ଯ୍ୟନ୍ତ ଶେଷ ଦର୍ଶନ ପାଇଁ ଅଜିତଙ୍କ ମୃତଦେହ ତାଙ୍କ କାଟେବାଡ଼ି ବାସଭବନରେ ରଖାଯାଇଥିଲା। ୯.୪୫ରେ ଶୋଭାଯାତ୍ରା ମଧ୍ୟରେ ପାର୍ଥିବ ଶରୀରକୁ ବିଦ୍ୟା ପ୍ରତିଷ୍ଠାନକୁ ନିଆଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଲୋକ ଉପସ୍ଥିତ ରହି ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିଥିଲେ।