ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୍): ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଖାଲିପଡ଼ିଥିବା ଏହି ଆସନରେ ଉପନିର୍ବାଚନ ନେଇ ବାଜିସାରିଛି ବିଗୁଲ । ମେ ୩୧ରେ ଭୋଟ ଗ୍ରହଣ ଓ ଜୁନ ୩ ଫଳାଫଳ ପ୍ରକାଶ ପାଇବା ନେଇ ଦିନ ଧାର୍ଯ୍ୟ ସରିଛି । ଏନେଇ ବିଭିନ୍ନ ଦଳରୁ ୧୪ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ମଧ୍ୟ ଦାଖଲ କରିସାରିଛନ୍ତି । ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା, କଂଗ୍ରେସରୁ କିଶୋର ପଟେଲ, ସିପିଆଇରୁ ରମେଶ କୁମାର ତ୍ରିପାଠୀ, ଓଡ଼ିଶା ଜନତା ପାର୍ଟିରୁ ମନୋଜ ପ୍ରଧାନ, ହିନ୍ଦୁସ୍ତାନ ନିର୍ମାଣ ଦଳରୁ ବିଜୟ କୁମାରଙ୍କ ସମେତ ଅବ୍ୟୟଭାରତୀରୁ ଶେଖାୱତ ରାଜପୁତ ଜୈନ, ଆଦିତ୍ୟ ପ୍ରଧାନ, ତପନ କୁମାର ସ୍ୱାଇଁ, ଦିନବନ୍ଧୁ ବିଶ୍ୱାଳ ଓ ପାର୍ବତୀ ବେହେରାଙ୍କ ନାଁ ରହିଛି। ତେବେ ମେ’ ୧୭ତାରିଖରେ ନାମାଙ୍କନ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ବ୍ରଜରାଜନଗରରେ ପ୍ରାୟ ୨ଲକ୍ଷ ୧୪ହଜାର ୫୬୪ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଥିବା ବେଳେ ପ୍ରାର୍ଥୀମାନେ ନିଜଆଡ଼କୁ ଭୋଟରଙ୍କୁ ଆକର୍ଷିତ କରିବାକୁ କସରତ୍ ଆରମ୍ଭ କରିଦେଲେଣି ।

ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଏନେଇ ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିସାରିଲେଣି । ଏଥରେ ବିଜୁ ଜନତା ଦଳ ପଛରେ ରହିଯାଇଛି । ତଥାପି, ଜନମତ ବିଜେଡି ସପକ୍ଷରେ ଯିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ବିଜୁ ଜନତା ଦଳ ତିନୋଟି ପ୍ରମୁଖ କାରଣ ପାଇଁ ବ୍ରଜରାଜନଗରରେ ପୁନଶ୍ଚ ସରକାରକୁ ଆସିପାରେ । ପ୍ରଥମ କାରଣଟି ହେଉଛି ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ସବୁ ଉପନିର୍ବାଚଳରେ ବିଜେଡି ବହୁ ଭୋଟ ବ୍ୟବଧାନରେ ବିଜୟଲାଭ କରିଛି । ଦ୍ୱିତୀୟ କାରଣ ଟି ହେଉଛି ଯେହେତୁ ଦିବଂଗତ ବିଜେଡି ବିଧାୟକ ବିଶୋର ମହାନ୍ତିଙ୍କ ପତ୍ନୀ ଅଳକା, ଯାହାକୁ ବିଜେଡି ନିଜର ପ୍ରାର୍ଥୀ କରିଛି ସେହେତୁ ସିମ୍ପାଥି ଭୋଟରେ ଅଳକା ବିଜୟ ହାସଲ କରିବାଟା ଥୟ। ଅଳକା ଜିତିବାର ତୃତୀୟ ବଡ଼ କାରଣ ହେଉଛି ବିରୋଧୀ କଂଗ୍ରେସ ଓ ବିଜେପିର ଅନ୍ତଦଳୀୟ କନ୍ଦଳ । ଏହି ପ୍ରମୁଖ ୩ ଟି କାରଣ ପାଇଁ ବ୍ରଜରାଜନଗରରେ ଅଳକାଙ୍କର ହୋଇପାରେ ଏକତରଫା ବିଜୟ ।