ଓଡ଼ିଆ ନ୍ୟୁଜ୍: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ବଡ଼ ଘୋଷଣା । ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ରେଭେନ୍ୟୁ ଇନ୍ସପେକ୍ଟର (RI), ICDS ସୁପରଭାଇଜର, ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ARI), ଅମିନ ଏବଂ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର (SFS) ପାଇଁ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଏକ୍ଜାମିନେସନ (CRE-୨୦୨୩IV) ର ପ୍ରିଲିମିନାରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସମସ୍ତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଫଳାଫଳ ୨୩ ଏପ୍ରିଲ ୨୦୨୫ରେ OSSSCର ଅଫିସିଆଲ ଓ୍ୱେବସାଇଟ www.osssc.gov.in ରେ ପ୍ରକାଶ ପାଇଛି।
OSSSC ପକ୍ଷରୁ ଜାରି ନୋଟିଫିକେସନ ଅନୁସାରେ, ପ୍ରିଲିମିନାରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସମସ୍ତ ପରୀକ୍ଷାର୍ଥୀ ମେନ୍ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପରୀକ୍ଷା ମାଧ୍ୟମରେ ମୋଟ ୨୮୯୫ଟି ପଦବୀ ପୂରଣ କରାଯିବ, ଯେଉଁଥିରେ ୫୫୯ଟି RI, ୮୨୭ଟି ARI, ୬୮୬ଟି ଅମିନ, ୪୯୮ଟି ICDS ସୁପରଭାଇଜର ଏବଂ ୩୨୫ଟି SFS ପଦବୀ ରହିଛି।
ପରୀକ୍ଷାର୍ଥୀମାନେ ଅଫିସିଆଲ ଓ୍ୱେବସାଇଟରେ “Recruitment News” ସେକ୍ସନରେ ଥିବା “Notification No. IIE-୫୭/୨୦୨୪-୯୧୯/OSSSC dated – ୨୩.୦୪.୨୦୨୫” ଲିଙ୍କ ମାଧ୍ୟମରେ ଫଳାଫଳ ଯାଞ୍ଚ କରିପାରିବେ। ଫଳାଫଳ ପିଡିଏଫ ଫର୍ମାଟରେ ଉପଲବ୍ଧ, ଯେଉଁଥିରେ ମେନ୍ ପରୀକ୍ଷା ପାଇଁ ଯୋଗ୍ୟ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଉଲ୍ଲେଖ ରହିଛି।
ଗତ ବର୍ଷ ପରୀକ୍ଷା ସମୟରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଥିଲା, ଯେଉଁଥିପାଇଁ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ, OSSSC ଏହି ବର୍ଷ ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇ ସମସ୍ତ ପରୀକ୍ଷାର୍ଥୀଙ୍କୁ ମେନ୍ ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରିଛି। ମେନ୍ ପରୀକ୍ଷାର ତାରିଖ ଏବଂ ଅନ୍ୟାନ୍ୟ ସୂଚନା ଶୀଘ୍ର OSSSC ପକ୍ଷରୁ ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି।