ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ସର୍ବଦଳୀୟ ବୈଠକ: ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି ସହ ସେମାନଙ୍କୁ ପରିଚୟ ପ୍ରଦାନ ପାଇଁ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପରାମର୍ଶ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ସାରା ରାଜ୍ୟର ୧୪୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୩୭,୬୦୬ ଗୋଟି ବୁଥ୍‌ରେ ଘରକୁ ଘର ବୁଲି ଆରମ୍ଭ ହୋଇଥିବା ସର୍ବେକ୍ଷଣରେ ବୁଥ୍‌ସ୍ତରୀୟ ଏଜେଣ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି । ରାଜନୈତିକ ଦଳମାନଙ୍କ ଦ୍ୱାରା ବୁଥ୍‌ସ୍ତରରେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି ସହ ସେମାନଙ୍କୁ ପରିଚୟ ପ୍ରଦାନ ନିମନ୍ତେ ରାଜନୈତିକ ଦଳର କ ର୍ମକର୍ତ୍ତାମାନ ଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି ।

ରାଜନୈତିକ ଦଳର ଜିଲ୍ଲା ସଭାପତିମାନେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିବା ସହ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବେ ଏବଂ ନିଯୁକ୍ତି ପାଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନଙ୍କର ଏକ ତାଲିକା ସଂପୃକ୍ତ ନିର୍ବାଚକ ପଂଜୀକରଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ । ଯେଉଁମାନଙ୍କୁ ବୁଥ୍‌ସ୍ତରୀୟ ଏଜେଣ୍ଟ ଭାବେ ନିଯୁକ୍ତ କରାଯିବ, ସେମାନେ ସଂପୃକ୍ତ ବୁଥ୍‌ ଅଞ୍ଚଳର ପଂଜୀକୃତ ଭୋଟର ହୋଇଥିବା ଦରକାର । ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ହୋଇଥିବା ବୁଥ୍‌ସ୍ତରୀୟ ସର୍ବେକ୍ଷଣରେ ବୁଥ୍‌ସ୍ତରୀୟ ଅଧିକାରୀ ଓ ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ । ବୁଥ୍‌ସ୍ତରୀୟ ଅଧିକାରୀମାନେ ‘ବିଏଲ୍‌ଓ ଆପ୍‌’ ଜରିଆରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ।

ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ଥିବା ୪ ଗୋଟି ଯୋଗ୍ୟତାସୂଚକ ତାରିଖ ଯଥା: ୨୦୨୩ ମସିହା ଅକେଫାବର ୧ ତାରିଖ ଏବଂ ୨୦୨୪ ମସିହା ଜାନୁଆରୀ ୧, ଅପ୍ରେଲ ୧ ଓ ଜୁଲାଇ ୧ ତାରିଖ ସୁଦ୍ଧା ଯେଉଁ ନୂତନ ଭୋଟରମାନଙ୍କ ବୟସ ୧୮ ବର୍ଷ ପୂରଣ ହେଉଥିବ, ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବେ । ଏତଦ୍‌ବ୍ୟତୀତ ବୁଥ୍‌ ଅଞ୍ଚଳରୁ ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ ଏବଂ ମୃତ ଭୋଟରମାନଙ୍କର ସଂପୂର୍ଣ୍ଣ ତଥ୍ୟ ‘ବିଏଲ୍‌ଓ ଆପ୍‌’ ମାଧ୍ୟମରେ ସଂଗ୍ରହ କରି ସଂପୃକ୍ତ ଭୋଟର ତାଲିକା ପଂଜୀକରଣ ଅଧିକାରୀଙ୍କୁ ପ୍ରଦାନ କରିବେ । ଏତଦ୍‌ବ୍ୟତୀତ ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ଭୋଟରମାନଙ୍କର ନାମ ତାଲିକାଭୁକ୍ତ କରିବା ନିମନ୍ତେ ମଧ୍ୟ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯିବା ପରେ ଏକ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କରାଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି ।

ଆଗାମୀ ସାଧାରଣ ନିର୍ବାଚନରେ ବିଶେଷ କରି ଭୋଟରମାନଙ୍କ ମତଦାନ ନିମନ୍ତେ ସମସ୍ତ ପ୍ରକାରର ସୁବିଧାସୁଯୋଗ, ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ କର୍ମଚାରୀଙ୍କୁ ସଂପୂର୍ଣ୍ଣ ତାଲିମ ପ୍ରଦାନ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବିଶେଷ ଧ୍ୟାନ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ଭାରତୀୟ ଜନତା ପାର୍ଟିର ସରୋଜ କୁମାର କର ଓ ଅଶୋକ କୁମାର ମିଶ୍ର, ବହୁଜନ ସମାଜବାଦୀ ପାର୍ଟିର ରାଜ୍ୟ ମହାସଚିବ ମଧୁସୂଦନ ଯାଦବ, ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ମାର୍କସିଷ୍ଟ) ସଦସ୍ୟ ସଂପାଦକ ଦୁଷ୍ମନ୍ତ କୁମାର ଦାସ, ଭାରତୀୟ ଜାତୀୟ କଂଗ୍ରେସର ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ ଓ ଆମ୍‌ ଆଦ୍‌ମୀ ପାର୍ଟିର ସୌମ୍ୟ ରଞ୍ଜନ ସ୍ୱାଇଁ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.