ସାଇଟ୍ ଖୋଲୁଖୋଲୁ ବୁକ୍ ହୋଇଗଲା ସବୁ ଟିକେଟ୍, ବୈଷୟିକ ତ୍ରୁଟି ଯୋଗୁ ୧୧ଟା ପରିବର୍ତ୍ତେ ଦିନ ୨ଟାରେ ଆରମ୍ଭ ହୋଇଥିଲା ଅନଲାଇନ୍ ଟିକେଟ୍ ବୁକିଂ
ଓଡିଆ ନ୍ୟୁଜ୍(ବ୍ୟୁରୋ): ବାରବାଟୀ ଟି-ଟେ୍ଵଣ୍ଟି ପାଇଁ ଅନଲାଇନରେ ସରିଲା ଟିକେଟ୍ ବିକ୍ରି । ଆଜି ସବୁ ଟିକେଟ୍ ବିକ୍ରି ହୋଇଯାଇଛି । ମାତ୍ର ୫ ମିନିଟରେ ବିକ୍ରି ହୋଇଛି ୫ହଜାର ଟିକେଟ୍ । ପେଟିଏମ୍ ଆପ୍ ଓ www.insider.inରେ ଲଗ୍ଇନ୍ କରି ଟିକେଟ୍ ବୁକିଂ କରିଛନ୍ତି କ୍ରୀଡ଼ାପ୍ରେମୀ । ଗ୍ୟାଲେରୀ ନମ୍ବର ୨, ୪ ଓ ୭ ନମ୍ବର ଗ୍ୟାଲେରୀ ସହ ସ୍ପେଶାଲ ଏନକ୍ଲୋଜର, ନ୍ୟୁ-ପାଭିଲିଅନ ଓ ଏସି-ବକ୍ସ ପାଇଁ ବିକ୍ରି ହୋଇଛି ଅନଲାଇନ ଟିକେଟ । ବୁକ୍ ହୋଇଥିବା ଅନଲାଇନ୍ ଟିକେଟ୍କୁ ୯, ୧୦, ୧୧ ଓ ୧୨ ତାରିଖରେ ସଂଗ୍ରହ କରିପାରିବେ । ଆଜି ବୈଷୟିକ ତ୍ରୁଟି ଯୋଗୁ ୧୧ଟା ପରିବର୍ତ୍ତେ ଦିନ ୨ଟାରେ ଆରମ୍ଭ ହୋଇଥିଲା ଅନଲାଇନ୍ ଟିକେଟ୍ ବୁକିଂ ।
ବାରବାଟୀ ଟି-ଟେ୍ଵଣ୍ଟି ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଶୃଙ୍ଖଳିତ ମ୍ୟାଚ୍ ଉପରେ ଗୁରୁତ୍ୱ ଦେଉଛି ଓସିଏ । ଆଜି ପୁଣି ବସିଥିଲା ପ୍ରସ୍ତୁତି ବୈଠକ । କଟକ ମେୟର, ବିଧାୟକ, ବରିଷ୍ଠ କ୍ରୀଡ଼ାବିତ ଓ ବିଭିନ୍ନ ଅନୁବନ୍ଧିତ ସଂଘ ଓ ସ୍କୁଲ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ସେପଟେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ବି ହେଉଛି । ପାର୍କିଂ ପାଇଁ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ବ୍ୟବସ୍ଥା କରାଯିବ । କାଲି ଷ୍ଟାଡିୟମରେ ପୋଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ, ମେଡିକାଲ୍ ଟିମ୍ ଓ ବେସରକାରୀ ସୁରକ୍ଷା କର୍ମୀଙ୍କୁ ନେଇ ବଡ଼ ଧରଣର ମକ ଡ୍ରିଲ୍ କରାଯିବ ।ଆସନ୍ତା ୧୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟେ୍ଵଣ୍ଟି ଲଢ଼େଇ । ଦୁଇ ବର୍ଷ ପରେ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବେ ଦର୍ଶକ ।