ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜସ୍ଥାନ କୋଟାରେ ଛାତ୍ର ଆତ୍ମହତ୍ୟା ବଢିବାରେ ଲାଗିଛି । ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ନେଉଛନ୍ତି ଚରମ ନିଷ୍ପତ୍ତି। ଗତକାଲି କୋଟାର ଏକ କୋଚିଂ ସେଣ୍ଟରରେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରମାନେ ହେଉଛନ୍ତି ୧୮ ବର୍ଷିୟ ଅଭିଷେକ ଶମ୍ବାଜୀ କାସଲେ ଏବଂ ଦ୍ୱିତୀୟ ବର୍ଷର ଛାତ୍ର ଆଦର୍ଶ ରାଜ। ଅଭିଷେକ କାଲି ପରୀକ୍ଷା ଦେବାର କିଛି ମିନିଟ ପରେ କୋଚିଂ ସେଣ୍ଟରର ୬ ମହଲାରୁ ଡେଇଁପଡିଥିଲେ। ଅନୁଷ୍ଠାନର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ଅଭିଷେକଙ୍କ ଘର ମହାରାଷ୍ଟ୍ରରେ ସେ ଏଠାରେ ତିନି ବର୍ଷ ଧରି ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ। ସେପଟେ ଏହି ଘଟଣାର କିଛି ଘଣ୍ଟା ପରେ ଆଉ ଜଣେ ଛାତ୍ର ଆଦର୍ଶ ରାଜ ମଧ୍ୟ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ମଧ୍ୟ ଏହି ପରୀକ୍ଷା ଦେଇଥିଲେ। ଆଦର୍ଶଙ୍କ ଘର ବିହାରରେ।
କୁନାଡ଼ି ଥାନାର ‘ଏସ୍ଏଚ୍ଓ’ ଗଙ୍ଗା ସହାୟ ଶର୍ମା କହିଛନ୍ତି, କୁନାଡ଼ି ଅଞ୍ଚଳରେ ଥିବା ଏକ ଭଡ଼ା ଆପାର୍ଟମେଣ୍ଟ୍ରେ ତାଙ୍କ ଭଉଣୀ ଓ ସମ୍ପର୍କୀୟ ଭାଇଙ୍କ ସହିତ ସେ ରହୁଥିଲେ । ଥରକୁ ଥର କବାଟ ଠକ ଠକ କରିବା ସତ୍ତ୍ବେ କବାଟ ନ ଖୋଲିବାରୁ ତାଙ୍କର ଭାଇଭଉଣୀ କବାଟ ଭାଙ୍ଗି ଦେଖିଲେ ସେ ପଙ୍ଖାରେ ଫାଶୀ ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଜୀବନ ହାରିଥିବା ୨ଛାତ୍ର ‘ନିଟ୍ଦ ପାଇଁ ପ୍ରସ୍ତୁତି କରୁଥିଲେ। ଘଟଣା ସଂକ୍ରାନ୍ତରେ ଅବଗତ ଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି, ଉଭୟ ଘଟଣାରେ କୌଣସି ‘ସୁସାଇଡ୍ ନୋଟ୍’ ମିଳିନାହିଁ।
ସୂଚନାଥାଉକି, ଜଣେ ନୁହେଁ କି ଦୁଇ ଜଣ ନୁହେଁ, ଏଠାରେ ଏକାଧିକ ଛାତ୍ର ଆତ୍ମହତ୍ୟା କରୁଛନ୍ତି। ସେ ପୁଣି ୧୦ରୁ ୧୫ ଦିନ ଅନ୍ତରରେ ଥରେ ଥରେ। ଗତକାଲି ପୁଣି ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ସଦ୍ୟତମ ରିପୋର୍ଟକୁ ମିଶାଇଲେ ଚଳିତ ବର୍ଷ ଏଯାବତ୍ ୨୪ ଜଣ ଛାତ୍ରଙ୍କ ଜୀବନ ଯାଇସାରିଲାଣି। ଅଗଷ୍ଟ ୧୬ରେ ମଧ୍ୟ ଏଠାରେ ଜଣେ କୋଚିଂ ନେଉଥିବା ଛାତ୍ର ଆତ୍ମହତ୍ୟା କରିଥିଲେ।