ପିସିସି ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ, ପ୍ରତିମୂର୍ତିରେ ନେତୃବୃନ୍ଦ କଲେ ଶ୍ରଦ୍ଧାସୁମନ ଅର୍ପଣ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କର ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ଆମ୍ବେଦକର ପ୍ରତିମୂର୍ତିରେ ନେତୃବୃନ୍ଦ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ ଯେ, ଭାରତ ରତ୍ନ ଆମ୍ବେଦକରଙ୍କ ରଚିତ ସମ୍ବିଧାନ ପ୍ରତିଟି ଭାରତୀୟକୁ ଅନୁଶାସନ ଓ ନୀତି ଭିତରେ ବଂଚିବା ପାଇଁ ଆଲୋକ ପ୍ରଦାନ କରିଛି । ଆମ୍ବେଦକରଙ୍କ ପ୍ରଦତ ସମ୍ବିଧାନ ଆମ୍ଭମାନଙ୍କୁ ଶୃଙ୍ଖଳା,ଶାନ୍ତି, ନିର୍ଭୀକ ଓ ସ୍ୱାଧୀନ ଭାବରେ ବଂଚି ରହିବାପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଛି ।

ଏହା ଭାରତୀୟ ମାନଙ୍କର ଜୀବନ ଯାପନର ପବିତ୍ର ବିଧି ବ୍ୟବସ୍ଥା । ଅନ୍ୟପକ୍ଷରେ ଏକ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ବିଶ୍ୱଦରବାରରେ ଆମ୍ବେଦକର ଯେପରି ନିଜକୁ ପ୍ରତିଷ୍ଠିତ କରାଇପାରିଲେ ସେହି ଜୀବନ ଦର୍ଶନ ଆଜିର ଯୁବ ଓ ଛାତ୍ର ସମାଜପାଇଁ ଅନୁସରଣୀୟ । ସୁତରାଂ ଆମ୍ବେଦକରଙ୍କ ସମ୍ବିଧାନକୁ ସୁରକ୍ଷିତ ଓ ସଶକ୍ତ କରିବା ପ୍ରତିଟି ଭାରତୀୟଙ୍କର ପ୍ରଧାନ କର୍ତବ୍ୟ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, କୁମାର ଶ୍ରୀ ଚିରଞ୍ଜିବ, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ହଳଧର ସେଠୀ, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ, ମିହିର ଆଚାର୍ଯ୍ୟ, ଜ୍ୟୋତିଷ କୁମାର ସାହୁ, ଜୟକୃଷ୍ଣ ସୁବୁଦ୍ଧି, ବିନୋଦ ପାଣି, ସୁଧାଂଶୁ ମହାନ୍ତି, ସଂକୁନା କହଁର, ଆଲୋକ ମହାନ୍ତି, ମନୋରଞ୍ଜନ ରାଉତରାୟ, ଖଗେଶ୍ୱର ମଲ୍ଲିକ, ତାପସ ସେଠୀ, ଜମ୍ବେଶ୍ୱର ମଲ୍ଲିକ, ତରୁଣ ମିଶ୍ର, ସଂଜୟ ମିଶ୍ର, ପ୍ରଶନ୍ନ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.