ଆସନ୍ତାକାଲି “ଅମିତ ଶାହ ଓ ବିଜେପିର ଯାତ୍ରା” ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚନ ସମାରୋହ, ଯୋଗ ଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଭୁବନେଶ୍ୱର ମେ’ ଫେୟାର ହୋଟେଲ ଠାରେ ପୂର୍ବାହ୍ଣ 10ଟା 30ରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ କରକମଳରେ ‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚିତ ହେବାକୁ ଯାଉଛି ।

ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବା ସହ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି, ସମ୍ବାଦ ଖବର କାଗଜର ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ସାମ୍ବାଦିକ ଶ୍ରୀ ସ୍ୱପନ ଦାସଗୁପ୍ତା, ପୁସ୍ତକର ଲେଖକ ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ୱିବେଦୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ, ସ୍ତମ୍ଭକାର, ସାମ୍ବାଦିକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଭାରତୀୟ ରାଜନୀତିର ଚାଣକ୍ୟ, ବର୍ତ୍ତମାନର ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ଜଣେ ସଫଳ ରାଜନୀତିଜ୍ଞ ହେଉଛନ୍ତି ଅମିତ ଶାହ । ନିଜର ନିଆରା ରାଜନୈତିକ ଅନ୍ଦାଜ, ଦକ୍ଷ ଗୋଟିଚାଳକ, ମନ୍ତ୍ରୀ ଭାବରେ ଦକ୍ଷ ପ୍ରଶାସନ ପାଇଁ ସାରା ଦେଶରେ ସେ ପରିଚିତ । “ଅମିତ ଶାହ ଓ ବିଜେପିର ଯାତ୍ରା”ର ମୂଳ ଇଂରାଜି ପୁସ୍ତକର ଲେଖକ ହେଉଛନ୍ତି ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ୱିବେଦୀ । ବହିଟିର ପବ୍ଲିସର ଦାୟିତ୍ୱ ବ୍ଲୁମ୍ସବରି ନେଇଛି । ଆସନ୍ତାକାଲି ଉନ୍ମୋଚିତ ହେବାକୁ ଥିବା ପୁସ୍ତକଟି ଓଡ଼ିଆରେ ଅନୁବାଦିତ । ପୁସ୍ତକରେ ଅମିତ ଶାହଙ୍କ ଜୀବନରେ ଅନେକ ରହସ୍ୟ ଓ ରୋଚକ ବିଷୟରେ ଉଲ୍ଲେଖ କରାଯାଇଛି । ବୁଥ୍ କାର୍ଯ୍ୟକର୍ତ୍ତାରୁ ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ଜାତୀୟ ସଭାପତିର ଯାତ୍ରାକୁ ପୁସ୍ତକରେ ନିଖୁଣ ଭାବରେ ଉପସ୍ଥାପନ କରାଯାଇଛି । 80 ଦଶକର ପ୍ରାରମ୍ଭରେ ଜଣେ ବୁଥ୍ କାର୍ଯ୍ୟକର୍ତ୍ତା ଭାବରେ ସକ୍ରିୟ ରାଜନୀତି ଆରମ୍ଭ କରିଥିବା ଅମିତ ଶାହଙ୍କ କାହାଣୀକୁ ଲକ୍ଷ ଲକ୍ଷ ବିଜେପି କର୍ମୀ ଅନୁଭବ କରିପାରିବେ ବୋଲି ଲେଖକ ଓ ପ୍ରକାଶନ ସଂସ୍ଥା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.