ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି କେନ୍ଦ୍ର ସରକାର ସଂସଦରେ ୩ଟି ନୂଆ ‘ବିଲ୍’ ବା ଚିଠା ଆଗତ କରିଛନ୍ତି। ବ୍ରିଟିସ୍ ଅମଳରୁ ଚାଲି ଆସୁଥିବା ଦେଶର ଅପରାଧିକ ଆଇନରେ ସଂଶୋଧନ କରିବା ଲାଗି ‘ବିଲ୍’ ଆଗତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଲେ, ବ୍ରିଟିସ୍ ଅମଳର ଆଇନ ‘ଇଣ୍ଡିଆନ୍ ପେନାଲ୍ କୋଡ୍’, ‘କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର’ ଏବଂ ‘ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ’ ଉଚ୍ଛେଦ ଓ ପରିବର୍ତ୍ତନ କରିବା ପାଇଁ ଏହି ଚିଠା ସବୁ ଆଗତ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିବାଦୀୟ ରାଜଦ୍ରୋହ ଆଇନକୁ ଉଚ୍ଛେଦ କରିବା ସହିତ ଭିଡ଼ ହିଂସା ହତ୍ୟା ଘଟଣାରେ ମୃତ୍ୟୁଦଣ୍ଡ ଲାଗୁ କରିବା ପାଇଁ ଏହି ଚିଠା ସବୁରେ ବ୍ୟବସ୍ଥା ରହିଛି।
ଏହି ଚିଠାଗୁଡ଼ିକୁ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍ କମିଟିକୁ ପଠାଯିବ ବୋଲି ସେ କହିଛନ୍ତି। ଶାହ କହିଛନ୍ତି, ଅଗଷ୍ଟ ୧୬ ତାରିଖରୁ ସ୍ବାଧୀନତାର ୭୫ତମ ବାର୍ଷିକୀରୁ ଶତବାର୍ଷିକୀ ପର୍ୟ୍ୟନ୍ତ ପଥ ଉନ୍ମୁକ୍ତ ହେବ। ଦାସତ୍ବ ମନୋବୃତ୍ତି ବିଲୋପ କରିବା ପାଇଁ ପ୍ରଧାନମନ୍ତ୍ରୀ ଶପଥ କରିଛନ୍ତି। ବ୍ରିଟିସ୍ମାନେ କରିଥିବା ‘ଆଇପିସି’ (୧୮୫୭), ‘ସିଆର୍ପିସି’ (୧୮୫୮), ‘ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ୍’ (୧୮୭୨) ଆଇନ୍କୁ ସେ ବିଲୋପ କରିବେ। ଅଧିକାର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଆମେ ଉପରୋକ୍ତ ଆଇନ ସ୍ଥାନରେ ୩ଟି ନୂଆ ଆଇନ ପ୍ରଚଳନ କରିବୁ। ଦଣ୍ଡବିଧାନ ନୁହେଁ ଏହାର ଲକ୍ଷ୍ୟ ହେବ ନ୍ୟାୟ ପ୍ରଦାନ।
ଅଦାଲତକୁ ଯିବାହିଁ ଦଣ୍ଡ ବୋଲି ବିଚାରି ଲୋକେ ଅଦାଲତକୁ ଯିବା ଲାଗି ଭୟ କରୁଛନ୍ତି। ‘ଇଣ୍ଡିଆନ୍ ପେନାଲ୍ କୋଡ୍’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’, ‘କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓରଦ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟଦ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ’ । ଏଥିରେ ପୂର୍ବରୁ ୫୧୧ଟି ସେକ୍ସନ୍ ଥିଲା, ଏବେ ୩୫୬ଟି ସେକ୍ସନ୍ ରହିବ। ୧୭୫ଟି ସେକସନ୍ ସଂଶୋଧନ କରାଯିବ ବୋଲି ଶାହ ଲୋକସଭାରେ କହିଥିବା ସୂଚନା ମିଳିଛି।