ଓଡିଆ ନ୍ୟୁଜ (ବ୍ୟୁରୋ) : ଦୁଇ ଦିନିଆର ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାତି ୧୦ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଆସନ୍ତାକାଲି ଶାହଙ୍କର ବିଭିନ୍ନ ସରକାରୀ କାର୍ୟ୍ୟକ୍ରମ ରହିଛି। ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ। ପରେ ନବୀନଙ୍କ ସହ ଏକାଠି ନକ୍ସଲ୍ ଦମନ ଓ ବିପର୍ୟ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ।
ଏହାପରେ ବିଜେପି ରାଜ୍ୟ କାର୍ୟ୍ୟାଳୟକୁ ଯାଇ କାର୍ୟ୍ୟକର୍ତ୍ତାଙ୍କ ସହ ବୈଠକ କରିବେ। ଯେଉଁଠି ଦଳୀୟ ସଂଗଠନର ସ୍ଥିତି ଓ ପୂର୍ବରୁ ଦିଆଯାଇଥିବା ଟାସ୍କ କେତେ ଦୂର କାର୍ୟ୍ୟକାରୀ ହୋଇଛି ସେ ସଂପର୍କରେ ସମୀକ୍ଷା କରିବେ ଶାହ। ୨୦୨୪ ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବୋଲି କୁହାଯାଉଛି । ୨୦୨୪ ସାଧାରଣ ନିର୍ବାଚନ ଉପରେ ଫୋକସ୍ କରି ଆଗାମୀ ଦିନରେ ବିଜେପିର ରୋଡମ୍ୟାପ୍ ନେଇ ବି ମାନସ ମନ୍ଥନ ହେବ। ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଶାହଙ୍କ ଏହି ଗସ୍ତ ବିଜେପି ପାଇଁ କେତେ ସହାୟକ ହେବ ତାଦଉପରେ ନଜର ରହିଛି।
ଅନ୍ୟପଟେ ଶାହଙ୍କ ଗସ୍ତ ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ ଘୋଷଣା କରିଛନ୍ତି । ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜେପି ରାଜ୍ୟ ସଭାପତି ୩୫ ଜଣିଆ ତାଲିକା ଜାରି କରିଥିବାବେଳେ ଏଥିରେ ୧୦ ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ଏହା ସହିତ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ରହିଛନ୍ତି।