ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପୁଣି ଅଡୁଆରେ ପଡିଯାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତୋଶାଖାନା ମାମଲାରେ ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଥିବା କଥା ସମ୍ବାଦପତ୍ର ‘ଦି ଡନ୍ଦ ରିପୋର୍ଟ କରିଛି। ‘ଦି ଡନ୍ଦ ରିପୋର୍ଟ ଅନୁସାରେ, ଆଜି ଇସ୍ଲାମାବାଦର ଏକ ‘ଟ୍ରାଏଲ୍ କୋର୍ଟ’ ତୋଶାଖାନା ମାମଲାରେ ଦୁର୍ନୀତି କରିଥିବା ଅଭିଯୋଗରେ ଇମ୍ରାନ୍ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ମଧ୍ୟ ଇମ୍ରାନ୍ଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଦେଇ ନ ପାରିଲେ ସେ ଆଉ ୬ ମାସ ଜେଲ୍ରେ ରହିବେ ବୋଲି ସୂଚନା ମିଳିଛି ।
ଆଜି କରାଯାଇଥିବା ଶୁଣାଣିରେ ଅତିରିକ୍ତ ଜିଲ୍ଲା ତଥା ସେସନସ୍ ଜଜ୍ (ଏଡିଏସ୍ଜେ) ହୁମାୟୁନ ଦିଲାୱାର୍ ରାୟ ଦେଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମରେ କରାଯାଇଥିବା ଅଭିଯୋଗ ପ୍ରମାଣିତ ହୋଇଛି। ପାକିସ୍ତାନର ନିର୍ବାଚନ କମିସନ୍ରେ ଇମ୍ରାନ୍ ଖାଁ ମିଥ୍ୟା ତଥ୍ୟ ଦାଖଲ କରିଥିଲେ। ଦୁର୍ନୀତି କରିଥିବାରୁ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅଦାଲତଙ୍କ ରାୟ ପରେ ଇମ୍ରାନ୍ ଖାଁଙ୍କୁ ଗିରଫ କରିବା ପାଇଁ ଇସ୍ଲାମାବାଦ୍ ଗିରଫ ପର୍ୱାନା ଜାରି କରିଛି। ଜାରି କରିଥିବା ବିବୃତିରେ ଇମ୍ରାନ୍ଙ୍କ ରାଜନୈତିକ ଦଳ ‘ପିଟିଆଇ’ କହିଛି, କେବଳ ଇମ୍ରାନ୍ ଖାଁଙ୍କୁ ଅଯୋଗ୍ୟ ଘୋଷଣା କରି ଜେଲ୍ରେ ଭର୍ତ୍ତି କରିବା ପାଇଁ ଆଇନର ଏତାଦୃଶ ହାସ୍ୟାସ୍ପଦ ପଦକ୍ଷେପ ସମ୍ପୂର୍ଣ୍ଣ ଲଜ୍ଜାଜନକ ଓ ଘୃଣ୍ୟ। ସୂଚନାଯୋଗ୍ୟ, ୨୦୧୮ରୁ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ଥିବା ବେଳେ କ୍ଷମତାର ଅପବ୍ୟବହାର କରି ଖାଁ ରାଷ୍ଟ୍ର ମାଲିକାନାରେ ଥିବା ଉପହାର ସବୁକୁ ବିକାକିଣା କରିଥିଲେ ବୋଲି ଅଭିଯୋଗ ହୋଇଥିଲା।
ସୂଚନାଥାଉକି, ତୋଶାଖାନା ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଇମ୍ରାନ୍ ଖାଁ କିଛି ଦିନ ତଳେ ସୁପ୍ରିମ୍ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ।
ଏକ ସପ୍ତାହ ମଧ୍ୟରେ ତୋଶାଖାନା ଦୁର୍ନୀତି ମାମଲା ରାୟ ଉପରେ ପୁନର୍ବିଚାର କରିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏହି ପିଟିସନରେ ଚ୍ୟାଲେଞ୍ଜ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ହୁମାୟୁନ୍ ଦିଲାୱାର ଗତ ମେ ୧୦ ତାରିଖରେ ତୋଶାଖାନା ଦୁର୍ନୀତି ମାମଲାରେ ୭୦ ବର୍ଷୀୟ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ଇମ୍ରାନ୍ ଏହି ମାମଲାର ଗ୍ରହଣୀୟତାକୁ ଇସଲାମାବାଦ ହାଇକୋର୍ଟ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ନିମ୍ନ ଅଦାଲତର ରାୟକୁ ଖାରଜ କରାଯାଇଥିଲା। ଉଚ୍ଚ ନ୍ୟାୟାଳୟର ଖଣ୍ଡପୀଠ କହିଥିଲେ ଯେ ନିମ୍ନ ଅଦାଲତ ଦୁର୍ବଳ ଆଧାରରେ ଇମ୍ରାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।