୩୦ରେ ପଦ୍ମପୁର ଜିଲ୍ଲା ଘୋଷଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଇଥିବା ପ୍ରତଶ୍ରୁତି ପୂରଣ କଲେ ମୁଖ୍ୟମନ୍ତ୍ରୀ। ପୁରା ହେବାକୁ ଯାଉଛି ପଦ୍ମପୁର ବସୀଙ୍କ ସ୍ବପ୍ନ। ପଦ୍ମପୁରବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି ପୂରଣ ହେବାକୁ ଯାଉଛି। ଚଳିତ ଡିସେମ୍ବର ୩୦ରେ ବରଗଡ଼ ଜିଲା ଅଧୀନରେ ଥିବା ପଦ୍ମପୁର ଉପଖଣ୍ଡକୁ ଜିଲା ମାନ୍ୟତା ପ୍ରଦାନ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ଏଥି ସହ ନୂତନ ପଦ୍ମପୁର ଜିଲାପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ମଧ୍ୟ ଚିହ୍ନଟ ସରିଛି। ଆସନ୍ତା ୩୦ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନୂଆ ଯୋଜନା ବିଧିବଦ୍ଧ ଭାବେ ଘୋଷଣା କରିବେ। ନୂଆ ଜିଲା ଘୋଷଣା ପାଇଁ ଆନୁଷଙ୍ଗିକ ପ୍ରସ୍ତୁତି ଚାଲିଛି।
୨୦୨୨ ଡିସେମ୍ବରରେ ଉପ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଠିକ୍ ବର୍ଷକରେ ହିଁ ଆସନ୍ତା ୩୦ ତାରିଖରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବା ଏଥି ପାଇଁ ସରକାର ୩୦ରେ ରାଜ୍ୟ କ୍ୟାବିନେଟର ସ୍ବତନ୍ତ୍ର ବୈଠକ ଡାକିଛନ୍ତି। କ୍ୟାବିନେଟ୍ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତାକୁ ମୋହର ମାରିବା ପରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ନୂଆ ଜିଲ୍ଲା ଘୋଷଣା ପାଇଁ ଉଦ୍ଦିଷ୍ଟ ଆନୁସଙ୍ଗିକ କାମ ସରିଛି। ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ଆରଡିସିଙ୍କ ଦ୍ବାରା ଜମି ଚିହ୍ନଟ ମଧ୍ୟ ସରିଛି। ଡିସେମ୍ବର ୩୧ ପୂର୍ବରୁ ଜିଲ୍ଲା ଘୋଷଣା ପାଇଁ ସବୁ କାମ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତତ୍ପରତା ପ୍ରକାଶ ସହ ଆନୁସଙ୍ଗିକ ବିଭାଗକୁ ନିର୍ଦ୍ଦେଶ ଦେଇଥିଲା।

ଗତ ଡିସେମ୍ବରରେ ହୋଇଥିବା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ପରେ ଗତ ଫେବୃଆରୀ ୧୯ ତାରିଖରେ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ଏହି ବିପୁଳ ଜନାଦେଶ ପାଇଁ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଆଉ ଏହି ଅବସରରେ ବର୍ଷକ ମଧ୍ୟରେ ଜିଲ୍ଲା ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏଥିରେ ବିଳମ୍ବ ହେବାରୁ ବିରୋଧୀ ସମାଲୋଚନା ଆରମ୍ଭ କରିଥିଲେ । କିନ୍ତୁ ଜିଲ୍ଲା ଘୋଷଣା ପରେ ଏହି ସମାଲୋଚନାର ଅନ୍ନ ଘଟିବା ସହ ବିରୋଧୀଙ୍କୁ କଡା ଜବାବ ଦିଆଯିବ ବୋଲି କୁହାଯାଉଛି। ଏ ନୂଆ ଜିଲ୍ଲାରେ ବରପାଲି, ଗାଇସିଲଟ ବିଜେପୁର, ପାଇକମାଳ, ଝାରବନ୍ଧ ଓ ପଦ୍ମପୁର ବ୍ଳକ ସହ ପଦ୍ମପୁର ଏବଂ ବରପାଲି ଏନଏସି ମଧ୍ୟ ରହିବ । ଏ ନୂଆ ଜିଲ୍ଲାର ଲୋକସଂଖ୍ୟା ପ୍ରାୟ ୭ ଲକ୍ଷ ହେବ।

ସୂଚନାଯୋଗ୍ୟ, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ବହୁ ଦିନରୁ ଉପନିର୍ବାଚନ ପୂର୍ବରୁ ୨୦୨୨ ନଭେମ୍ବର ମାସରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ଆଲୋଚନା କରିଥିଲା । କମିଟିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନର ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.