ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଓଡିଶା ହାଇକୋର୍ଟଙ୍କର ଆଉ ୧୦ ଟି ସ୍ଥାନରେ ଭରଚୁଆଲ କୋର୍ଟ ବା ଭିସି କ୍ୟାବିନ ଆଜି ଉଦଘାଟିତ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କ ଏହି ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି। ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କ ସମେତ ହାଇକୋର୍ଟଙ୍କ ଆଇଟି ଓ ଏଆଇ କମିଟି ଅଧ୍ୟକ୍ଷ ଜଷ୍ଟିସ ଶୁଭାଶିଷ ତାଳପତ୍ର ଯୋଗ ଦେଇଥିଲେ।ଦ୍ଵିତୀୟ ପର୍ଯ୍ୟାୟରେ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, କନ୍ଧମାଳ, ମୟୁରଭଞ୍ଜ, ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ଏହି ଭରଚୁଆଲ କୋର୍ଟ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ଆଡଭୋକେଟ ଜେନେରାଲ, ଜୁଡିସିଆଲ ଅଫିସର, ୧୦ ଟି ଜିଲ୍ଲାର ସରକାରୀ ଅଧିକାରୀ ଓ ଓକିଲ ଯୋଗ ଦେଇଥିଲେ। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଫେବୃଆରୀ ୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦ ଟି ଜିଲ୍ଲାରେ ଭର୍ଚୁଆଲ କୋର୍ଟ ଉଦଘାଟିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ଵର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଭଦ୍ରକ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ବଲାଙ୍ଗୀର, କୋରାପୁଟ ଜିଲ୍ଲାର ଜୟପୁର, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଏହି ଭିସି କୋର୍ଟ ଉଦଘାଟିତ ହୋଇଥିଲା।
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏହି ସମସ୍ତ ଜିଲ୍ଲାରେ ଭିସି କ୍ୟାବିନ ସ୍ଥାପିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବାକି ରହିଥିବା ଅନ୍ୟ ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେବ। ଏହି ସମସ୍ତ ଜିଲ୍ଲାରୁ ଏବେ ହାଇକୋର୍ଟର ଭରଚୁଆଲ କୋର୍ଟ କାର୍ଯ୍ୟ କରିବ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ନେଇ ଆନ୍ଦୋଳନ ଚାଲିଥିବା ବେଳେ ଭରଚୁଆଲ କୋର୍ଟ ସ୍ଥାପନ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ୩୦ ଟି ଯାକ ଜିଲ୍ଲାରେ ଭରଚୁଆଲ କୋର୍ଟ ସ୍ଥାପନ କରିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି।