ଓଡ଼ିଆ ନ୍ୟୁଜ (ବ୍ୟୁରୋ):ରାଜ୍ୟରେ ପୁଣି ଏକ ବଡ ଧରଣର ଲଘୁଚାପର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଦିଆଯାଇଛି । ଏହି ଲଘୁଚାପ ୨୬ତାରିଖରେ ସୃଷ୍ଟି ହେବ ଓ ୨୭ରେ ଅବପାତର ରୂପ ନେବ । ଆସନ୍ତା ୨୫ରେ ଘୂର୍ଣ୍ଣିଝଡ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏହା ସୃଷ୍ଟି ହେବ ।
ଏଭଳି ପ୍ରାକ୍ ଆକଳନ କରିଛନ୍ତି ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍ । ତେବେ କେଉଁଠି ମାଡ଼ ହେବ ସେ ନେଇ ସ୍ପଷ୍ଟ ଅନୁମାନ କରାଯାଇ ନାହିଁ । ଟ୍ରପିକାଲ୍ ଟିଡ୍ବିଟ୍ସ ୱେବସାଇଟରେ ଦର୍ଶାଯାଇଥିବା ଜିଏଫଏସ ମଡେଲ୍ର ପ୍ରାକ୍ ଆକଳନ ଅନୁସାରେ ଚଳିତ ନଭେମ୍ବର ମାସର ଶେଷ ସପ୍ତାହରେ ଚାଇନା ସାଗର ପଟୁ ଏକ ଲଘୁଚାପ ବଙ୍ଗୋପସାଗର ଆଡ଼କୁ ଆସିପାରେ ।ଆସନ୍ତା ୨୬ ଓ ୨୭ ତାରିଖବେଳକୁ ଏହା ବଙ୍ଗୋପସାଗରରେ ଆଗକୁ ବଢ଼ିବ । ୨୯ ତାରିଖବେଳକୁ ସମୁଦ୍ର ଭିତରେ ଏହା ବାତ୍ୟା ରୂପ ନେଇପାରେ । ଡିସେମ୍ବର ୨ କିମ୍ବା ୩ ତାରିଖ ବେଳକୁ ଏହା ଆନ୍ଧ୍ର ଉପକୂଳ ଛୁଇଁପାରେ ବୋଲି ଜିଏଫଏସ୍ ମଡେଲ୍ ବର୍ତ୍ତମାନ ପୂର୍ବାନୁମାନ କରିଛି । ହେଲେ ଏହା କେବଳ ପ୍ରାକ୍ ଆକଳନ । ସମ୍ଭାବ୍ୟ ଗତିପଥ ଓ ପ୍ରଭାବ ନେଇ ନିର୍ଦ୍ଦିଷ୍ଟ ଭାବେ ଆଗୁଆ ପୂର୍ବାନୁମାନ କରିବା ସହଜ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
ଆନ୍ତର୍ଜାତିକ ପାଣିପାଗ ମଡେଲ୍ ନାଭଜେମ୍ ମଧ୍ୟ ଚଳିତ ମାସର ଶେଷ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ନେଇ ପୂର୍ବାନୁମାନ କରିଛି । ଏହା ଭାରତ ଉପକୂଳ ପାଖାପାଖି ଆସିବା ନେଇ ମଧ୍ୟ ଆକଳନ କରାଯାଇଛି । କାନାଡାର ପାଣିପାଗ ମଡେଲ୍ ସିଏମ୍ସି ମଧ୍ୟ ଡିସେମ୍ବର ଆରମ୍ଭରେ ବଙ୍ଗୋପସାଗରରେ ଏକ ବାତ୍ୟା ଭାରତ ଉପକୂଳ ମୁହାଁ ହେବା ନେଇ ପୂର୍ବାନୁମାନ କରିଛି । ଆଜି ବିଳମ୍ବିତ ରାତି ସୁଦ୍ଧା ଏଭଳି ଆକଳନ ଦେଖିବାକୁ ମିଳିଛି ଉପରୋକ୍ତ ମଡେଲ୍ମାନଙ୍କ ଦ୍ୱାରା ।