ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍କୁ ମିଳିଲା ଆଉ ମାସେ ମହଲତ। ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ନିଜ ଆଡ଼ୁ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ଅର୍ଥାତ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନିଜ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ସମୟ ପାଇପାରିଛନ୍ତି ଗାଡ଼ି ଚାଳକ ।
ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ । ଏଥିସହ ସ୍ଲଟ ବୁକିଂ ପାଇଁ ପ୍ରବଳ ଭିଡ଼ ହେଉଥିବାରୁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି । ଆବଶ୍ୟକସ୍ଥଳେ କ୍ୟାମ୍ପ କରାଯିବାର ବ୍ୟବସ୍ଥା ହୋଇପାରେ । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ମଧ୍ୟରେ ଭିତ୍ତିଭୂମି କିପରି ସୁଦୃଢ କରାଯାଇଛି, ଲୋକଙ୍କ ସମସ୍ୟା କେତେ ମାତ୍ରାରେ ସୁଧୁରି ପାରୁଛି ତାହାର ତର୍ଜମା କରାଯିବ । ମାସକର ମହଲତ ପାଇ ଗାଡ଼ି ଚାଳକ ଆଶ୍ୱସ୍ତ ହୋଇଥିବା ବେଳେ ଏହା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଥିଲା ସେମାନଙ୍କ ଛାତିରେ ଛନକା ପଶିଥିଲା। କାରଣ ନୂଆ ନମ୍ବରପ୍ଲେଟ୍ ନ ଲଗାଇଥିଲେ କିମ୍ବା ସ୍ଲଟ୍ ବୁକିଂ କରି ନ ଥିଲେ ଆସନ୍ତାକାଲିଠୁ ମୋଟା ଅଙ୍କର ତଣ୍ଡ ଗଣିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସଫାସଫା କୁହାଯାଇଥିଲା। ତେଣୁ ଗାଡ଼ି ଘରେ ରଖିବେ ନା ବାହାର କରି ଫାଇନ୍ ଗଣିବେ ସେ ନେଇ ଦ୍ୱନ୍ଦ୍ୱରେ ଥିଲେ ଗାଡ଼ି ଚାଳକ । ହେଲେ ହାଇକୋର୍ଟରେ ଶୁଣାଣି ପରେ ଆଜି ସେ ଦ୍ୱନ୍ଦ୍ୱ ଦୂର ହୋଇଛି ଓ ସାଧାରଣ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁ କରାଯିବାକୁ ବିରୋଧ କରି୨ ବସ୍ ମାଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଆବଶ୍ୟକୀୟ ଭିତ୍ତିଭୂମି ବିନା ଡେଡ୍ ଲାଇନ ଧାର୍ଯ୍ୟକୁ ନାପସନ୍ଦ କରିଥିଲେ ହାଇକୋର୍ଟ।