ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ଆପ୍ ସାଂସଦ ରାଘବ ଚଢାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି । ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବେ ନାହିଁ ରାଘବ ଚଢା । ଦିଲ୍ଲୀ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କ ଆଦେଶକୁ ଖାରଜ କରି ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ରାଘବଙ୍କୁ ମିଳିଥିବା ଅନ୍ତରୀଣ ରହିତାଦେଶକୁ ଟ୍ରାଏଲ କୋର୍ଟ ଖାରଜ କରିଥିଲେ ।
ଯାହାକୁ ନେଇ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୋମବାର ହାଇକୋର୍ଟ ରାଘବଙ୍କ ସପକ୍ଷରେ ରାୟ ଦେବା ପରେ ଏବେ ତାଙ୍କୁ ଟାଇପ-୭ରେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ ନାହିଁ । ଅକ୍ଟୋବର ୧୦ ତାରିଖରେ ତାଙ୍କ ସରକାରୀ ବଙ୍ଗଳାର ଆବଂଟନ ଶେଷ ହେବା ପରେ ମଧ୍ୟ ସେ ରାଜ୍ୟସଭା ସାଂସଦ ଭାବେ ଉକ୍ତ ବଙ୍ଗଳାକୁ ଦଖଲରେ ରଖିପାରିବେ ନାହିଁ ବୋଲି ତଳ କୋର୍ଟ କହିଥିଲେ ।
ଏହାସହ ଏହାକୁ ଖାଲି କରିବା ପାଇଁ ରାଜ୍ୟସଭା ସଚିବାଳୟର ନୋଟିସକୁ ବୈଧ ଦର୍ଶାଇଥିଲେ । ଏହି ମାମଲାର ପରବର୍ତୀ ଶୁଣାଣି ଚଳିତ ମାସ ୩୦ରେ ହେବାକୁ ଯାଉଛି । ସେପର୍ୟ୍ୟନ୍ତ ରାଜ୍ୟସଭା ସଚିବାଳୟ ତାଙ୍କୁ ସରକାରୀ ବଙ୍ଗଳାରୁ ବେଦଖଲ କରିପାରିବ ନାହିଁ ।