ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାର ରେଳପଥକୁ ବିକଶିତ କରିବା ନିମନ୍ତେ ୬ ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥି ପାଇଁ 15ହଜାର 4 କୋଟି ଟଙ୍କା ଖର୍ଚ୍ଚ ହେବ । ପିଏମ ଗତିଶକ୍ତିରେ ଏହି ନୂଆ ପ୍ରକଳ୍ପ ଆରମ୍ଭ ହେବ ।
ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ଏହି ପ୍ରକଳ୍ପର ଅଧିକ ଲାଭ ପାଇବେ । ଏହି ପ୍ରକଳ୍ପ ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ବିକାଶର ମାଧ୍ୟମ ପାଲଟିବ । ଯାତ୍ରୀ ପରିବହନ ଓ ମାଲ ପରିବହନକୁ ଅଧିକ ସୁଗମ କରିବ । ଗତକାଲି ମୋଟ 8ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଥିଲା । 8ଶହ କିମି ନୂଆ ରେଳ ପାଇଁ 24ହଜାର 657 କୋଟି ଟଙ୍କା ଖର୍ଚ୍ଚ ହେବ । 6ଟି ରେଳ ଲାଇନ ମଧ୍ୟରୁ ମାଲକାନଗିରି-ପାଣ୍ଡୁରଙ୍ଗପୁରମ୍ (ଭାୟା ଭଦ୍ରାଚଳମ୍) ରେଳ ଲାଇନ ଓଡ଼ିଶା, ଆନ୍ଧ୍ରପ୍ରଦେଶ ସେମତ ତେଲେଙ୍ଗାନାକୁ ସଂଯୋଗ କରିବ ।
ସେହିପରି ବୁଝାମରାରୁ-ଚକୁଳିଆ ଓଡ଼ିଶା ସହ ଝାଡକଣ୍ଡ ଓ ପଶ୍ଚିମବଙ୍ଗକୁ ଯୋଡିବ । ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ଏହି ପ୍ରକଳ୍ପ ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ବିକାଶର ମାଧ୍ୟମ ପାଲଟିବ। ଡବଲ ଇଞ୍ଜିନ ସରକାରରେ ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ଵାର୍ଥ ପୂରଣ ସହ ଓଡ଼ିଶାକୁ ପୂର୍ବୋଦୋୟ ବିକାଶର କେନ୍ଦ୍ର ଭାବେ ଗଢିତୋଳିବାର ସ୍ଵପ୍ନ ସାକାର ହେବ।