ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): CFSLକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍ । ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍ । ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କ ୩ଟି ଫୋନକୁ CFSLକୁ ପଠାଗଲା । ଅର୍ଚ୍ଚନାଙ୍କ ଓପୋ ଓ ସାମସଙ୍ଗ ଫୋଲଡେଡ଼ ମୋବାଇଲ ଓ ଜଗବନ୍ଧୁ ଙ୍କ ଆପଲ ଇ ଫୋନ୍କୁ CFSL କୋଲକାତା ପଠାଯାଇଛି । ପୂର୍ବରୁ ଏହି ସବୁ ମୋବାଇଲ ଫୋନକୁ ରାଜ୍ୟ ଫୋରେନସିକ୍କୁ କମିଶନରେଟ ପୋଲିସ ପଠାଇଥିଲା । ହେଲେ SFSL ଏଥିରୁ ତଥ୍ୟ ବାହାର କରିନଥିଲେ । ED ଏହାକୁ CFSL କୋଲକତାକୁ ପଠାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲା । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖଣ୍ଡଗିରି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଦୟାନିଧି ନାୟକ ଏହାକୁ CFSL ପଠାଇଛନ୍ତି । ଏହି ୩ଟି ମୋବାଇଲରୁ ବ୍ଲାକମେଲ ଓ ହନି ଟ୍ରାପର ଗୁମର ଖୋଲିବ ବୋଲି ଆଶା ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେପଟେ ଆଜି ବି ହାଜର ହେଲେନି ଶ୍ରଦ୍ଧାଞ୍ଜଳି ।
ଆସନ୍ତାକାଲି ପର୍ଯ୍ୟନ୍ତ ସମୟ ନେଇଛନ୍ତି ଶ୍ରଦ୍ଧାଞ୍ଜଳିଙ୍କ ଓକିଲ । ଶ୍ରଦ୍ଧାଞ୍ଜଳି ଦୂରରେ ରହୁଥିବାରୁ ପ୍ରାୟ ତାରିଖରେ ସେ କୋର୍ଟରେ ହାଜର ହେବା ସମ୍ଭବ ନୁହେଁ । ତେଣୁ ଓକିଲ ଜରିଆରେ ହାଜର ହେବା ନେଇ କୋର୍ଟର ନିୟମ ଅଛି । ସେ ଦୃଷ୍ଟିରୁ ଆମେ କୋର୍ଟଙ୍କୁ ଅବଗତ କରାଇଛୁ ବୋଲି ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ଅଶୋକ ଦାସ କହିଛନ୍ତି । ଅନ୍ୟପଟେ ଆଜି ଇଡି ସ୍ପେସାଲ୍ କୋର୍ଟରେ ଅର୍ଚ୍ଚନାଙ୍କ ହାଜର ତାରିଖ ରହିଥିଲା । ଜେଲରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର । ଜେଲରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ଇଡି ପକ୍ଷରୁ ଜେରା ପାଇଁ କୋର୍ଟରେ ପିଟିସନ ଦାଖଲ କରିଛି ଇଡି । ଏହାକୁ ବିରୋଧ କରାଯିବ ବୋଲି ଅର୍ଚ୍ଚନାଙ୍କ ଓକିଲ ଠାକୁର ସଂଗ୍ରାମ ସିଂ କହିଛନ୍ତି ।