ଓଡିଆ ନ୍ୟୁଜ (ବ୍ୟୁରୋ) : ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏଏସ୍ଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସ୍ଆଇ ଅଧୀକ୍ଷକ କହିଛନ୍ତି ଯେ ଭିତର ଭଣ୍ଡାର କେବେ ବି ଅନୁଧ୍ୟାନ ହୋଇନାହିଁ। ୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା। ଏବେ ରତ୍ନଭଣ୍ଡାରରକୁ ମରାମତି କରିବାର ଆବଶ୍ୟକତା ରହିଛି ।
ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ନିର୍ଦେଶ ଦେଲେ ଯଥାଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି। ସତ୍ୟପାଠ ଦାଖଲ ପରେ, କୋର୍ଟ ଅନୁମତି ଦେଲେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । ସୂଚନାଥାଉକି, ରତ୍ନଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସରକାରଙ୍କୁ ସୁପାରିଶ କରିଛି । ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ ଓ ମରାମତି କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ପରିଚାଳନା କମିଟି । ଏହାସହ ରତ୍ନଭଣ୍ଡାର ଖୋଲିବାକୁ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍ ଗଠନ କରାଯିବ । ଯେଉଁ ଟିମରେ ଏଏସଆଇ, ପରିଚାଳନା କମିଟି ସଦସ୍ୟ ଓ ମନ୍ଦିର ପ୍ରଶାସନର ବରିଷ୍ଠ ଇଞ୍ଜିନିୟର ରହିବେ । ଲେଜର ସ୍କାନିଂ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଯାଞ୍ଚ କରିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ହେବା ସହ ଏହାକୁ ସରକାରଙ୍କ ନିକଟକୁ ସୁପାରିଶ କରାଯାଇଥିଲା ।