ସୁଧାର ଗୃହରେ ସୀମା ଟପୁଛି ଅତ୍ୟାଚାର:ଧଉଳି ଥାନା ଶ୍ରଦ୍ଧା ନିବାରଣ କେନ୍ଦ୍ରରେ ପ୍ରାଣ ହରାଇଛନ୍ତି ଅନ୍ତେବାସୀ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ):ସୁଧାର ଗୃହରେ ସୀମା ଟପୁଛି ଅତ୍ୟାଚାର, ଗଡୁଛି ମୁଣ୍ଡ। ରାଜଧାନୀ ଧଉଳି ଥାନା ଶ୍ରଦ୍ଧା ନିବାରଣ କେନ୍ଦ୍ରରେ ପ୍ରାଣ ହରାଇଛନ୍ତି ଅନ୍ତେବାସୀ ବିକ୍ରମ ଲେଙ୍କା। ପରିବାର ହତ୍ୟା ଅଭିଯୋଗ ଆଣିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ। କ୍ଷ୍ମୀସାଗର ଅଞ୍ଚଳର ୨୩ ବର୍ଷୀୟ ଯୁବକ ବିକ୍ରମ ଲେଙ୍କା ଅତ୍ୟଧିକ ନିଶା ସେବନ କରିବାରୁ ମାସକ ତଳେ ଧଉଳି ଥାନା ଅଧିନ ସରଦେଇପୁର ର ଶ୍ରଦ୍ଧା ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଦିନକ ତଳେ ବାଥରୁମ ଭିତରେ ବେକରେ ଗାମୁଛା ଲଗାଇଥିବା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା। କିନ୍ତୁ ଘଟଣା ଘଟିବାର ୧୨ ଘଣ୍ଟା ପରେ ଏ ସମ୍ପର୍କରେ ପରିବାରକୁ ଜଣାଯାଇଥିଲା। ଏପରିକି ଘଟଣା ଘଟିବା ସମୟରେ କିଛି ସମୟ ସିସିଟିଭି ଫୁଟେଜ କୁ ମଧ୍ୟ ଡିଲେଟ କରାଯାଇଛି। ସେପଟେ ପୁଅକୁ ପିଟିପିଟି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛି ପରିବାର। ସଂସ୍ଥା ମାଲିକଙ୍କୁ ଗିରଫ କରାଗଲେ ସବୁ ସତ ପଦାକୁ ଆସିବ ବୋଲି ଦାବି କରିଛନ୍ତି ଲକ୍ଷ୍ମୀସାଗର ଗ୍ରାମବାସୀ।

ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ଜରିଆରେ ଏନଜିଓ ଓ ସ୍ବେଛାସେବୀ ଅନୁଷ୍ଠାନ ଛତୁ ଫୁଟିବା ଭଳି ନିଶା ନିବାରଣ କେନ୍ଦ୍ର ଖୋଲୁଛନ୍ତି । ଠିକ୍ ସମୟରେ ଏସବୁର ତଦାରଖ ମଧ୍ୟ ହେଉ ନାହିଁ। ଅନଭିଜ୍ଞ କର୍ମଚାରୀ ଓ ସୁରକ୍ଷାରେ ଅଭାବ ଓ ସିସିଟିଭି ବ୍ୟବହାର କୁ ଗୁରୁତ୍ୱ ଦିଆଯାଉନାହିଁ । ମାସକ ତଳେ ପାଣ୍ଡରା ଅଞ୍ଚଳରେ ଥିବା ସାଇକୃପା ଡିଆଡିକ୍ସନ ସେଣ୍ଟରରେ ସର୍ବେଶ୍ୱର ବେହେରାଙ୍କୁ ପିଟି ପିଟି ମାରିବା ଘଟଣାରେ ୩ ଜଣ ଗିରଫ ହୋଇଥିଲେ। ପୂର୍ବରୁ ପାଣ୍ଡରା ଅଞ୍ଚଳରେ ଥିବା କୃପା ଫାଉଣ୍ଡେସନ ଓ ଉତ୍ତରା ରେ ଥିବା ଦିଶା ଫାଉଣ୍ଡେସନ ରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାର। ନିବାରଣ ନାଁ ରେ ନିର୍ଯ୍ୟାତନା ଦେଉଥିବା କିଛି ସଂସ୍ଥାକୁ ବ୍ଲାକ ଲିଷ୍ଟ କରିବା ସହ ସଂସ୍ଥା ମୁଖ୍ୟଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କଲେ ଏସବୁ ଘଟଣା ସାମ୍ନାକୁ ଆସନ୍ତା ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ।

Leave A Reply

Your email address will not be published.