ଓଡ଼ିଆ ନ୍ୟୁଜ୍: ବିଜେଡି ଛାଡ଼ିଲେ ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ଦଳର ପ୍ରାଥମିକ ସଦସ୍ୟତା ପଦରୁ ଦେଲେ ଇସ୍ତଫା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫାପତ୍ର। ବ୍ୟକ୍ତିଗତ କାରଣ ଓ ପରିସ୍ଥିତି ନିମନ୍ତେ ଦଳରୁ ଅଲଗା ହୋଇଥିବା ଦର୍ଶାଇଛନ୍ତି।ଦଳ ସହିତ ଦୀର୍ଘ ଦିନର ଯାତ୍ରା ସ୍ମରଣୀୟ ହୋଇ ରହିବ କହିଲେ। ଦଳର ସମସ୍ତ ଦାୟିତ୍ୱରୁ ତୁରନ୍ତ ଅବ୍ୟାହତି ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ। ବାଲେଶ୍ୱର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଥିଲେ ରବୀନ୍ଦ୍ର ଜେନା।
ବ୍ୟବସାୟରୁ ରାଜନୀତିକୁ ଆସିଥିବା ରବୀନ୍ଦ୍ର ଜେନା ବାଲେଶ୍ବର ତଥା ଉତ୍ତର ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ପରିଚିତ। ୨୦୧୪ ନିର୍ବାଚନରେ ସେ ବାଲେଶ୍ବର ଆସନରୁ ଷୋଡ଼ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପିର ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ସେ ବାଲେଶ୍ବର ବିଜେଡିର ସଭାପତି ସହ ବିଭିନ୍ନ ସାଂଗଠନିକ ଦାୟିତ୍ବ ସମ୍ଭାଳିଥିଲେ। ତେବେ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କୁ ଲୋକସଭା ଟିକେଟ ନଦେଇ ବିଜେପିରୁ ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରୁଙ୍କ ପ୍ରାର୍ଥୀ କରିଥିଲା। ହେଲେ ବିଜେଡି ଏହି ଆସନରେ ପରାଜିତ ହୋଇଥିଲା। ଯଦିଓ ରବୀନ୍ଦ୍ର ଜେନାଙ୍କୁ ଦଳ ଲୋକସଭା ଟିକେଟ ଦେଇନଥିଲା କିନ୍ତୁ ତାଙ୍କ ପତ୍ନୀ ଶୁଭାଷିନୀଙ୍କୁ ବସ୍ତା ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା। ଶ୍ରୀମତି ଜେନା ବିଜେଡି ଟିକେଟରେ ବସ୍ତା ଆସନରେ ୮୩ ହଜାରରୁ ଅଧିକ ଭୋଟ ପାଇଁ ବିଜୟୀ ହୋଇଥିଲେ।