ସରିଲା ବନକଲାଗି, ଝଲସୁଛନ୍ତି ଶ୍ରୀଜିଉ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ସୁବ ବାଦବିବାଦ ଓ ପ୍ରତୀକ୍ଷାର ଘଟିଲା ଅନ୍ତ । ୪୬ ଦିନ ପରେ ଗତକାଲି ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କ ଗୁପ୍ତ ବନକଲାଗି ନୀତି। ସେଥିପାଇଁ ସନ୍ଧ୍ୟା ୬ଟାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ଚଳିତ ବର୍ଷ ନୀଳାଦ୍ରି ବିଜେଠାରୁ ମହାପ୍ରଭୁ ବନକଲାଗି ହୋଇପାରିନଥିଲେ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତିକ୍ରମେ ବୁଧବାର ହିଁ ଦତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିଛନ୍ତି । ବନକଲାଗି ପାଇଁ ଗତକାଲି ଅପରାହ୍ନ ପ୍ରାୟ ୫ଟା ୨୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ରାତି ପ୍ରାୟ ୧୦ଟାରେ ବନକଲାଗି ଶେଷ ପରେ ଦର୍ଶନ ସ୍ୱାଭାବିକ ହୋଇଥିଲା । ଗତକାଲି ଅପରାହ୍ନ ୪ଟା ୧୫ରେ ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ମଇଲମ ଓ ତଡ଼ପଲାଗି ହୋଇଥିଲା । ୫ଟା ୨୦ରେ ପହୁଡ଼ ଆଳତି ପରେ ଜୟ-ବିଜୟ ଦ୍ୱାର ବନ୍ଦ ହୋଇଥିଲା । ବେହେରଣ ଦ୍ୱାର ଦେଇ ଦତ ମହାପାତ୍ର ସେବକମାନେ ୫ଟା ୪୫ରେ ବନକପେଡ଼ି ସହ ବନକଲାଗି ପାଇଁ ପ୍ରବେଶ କରିବା ସହ ସିଂହାସନକୁ ଉଠି ବନକଲାଗି କରିଥିଲେ । ବନକଲାଗି ପାଇଁ ୩ ଖଣ୍ଡ ଶ୍ରୀକପଡ଼ା ଓ ହିଙ୍ଗୁଳ, ହରିତାଳ ଆଦି ରଙ୍ଗ ଯୋଗାଇ ଦିଆଯାଇଥିଲା । ବନକଲାଗି ସରିବା ପରେ ପୂଜାପଣ୍ଡା ସେବକମାନେ ତଳେ ବସି ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରିଥିଲେ । ମହାସ୍ନାନ ନୀତି ଶେଷ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।

ସୂଚନାଥାଉକି, ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମୁଖମଣ୍ଡଳର ଦୀପ୍ତି ବଢ଼ାଇବା ପାଇଁ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଏହି ଗୁପ୍ତ ନୀତି। ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟ୍ସ କୁହେ, ମହାପ୍ରଭୁଙ୍କର ଏହି ଶ୍ରୀଅଙ୍ଗ ଲାଗି ସେବାର ସୁଯୋଗ ପାଇଛନ୍ତି ଦତ୍ତମହାପାତ୍ର ସେବକ। ଏହା ବଂଶାନୁକ୍ରମିକ ସେବା ଓ ସିଧା ରତ୍ନବେଦୀ ଉପରେ ଚଢ଼ି ଠାକୁରମାନଙ୍କୁ ଆକର୍ଷଣୀୟ ରୂପ ଦେବାର ସୁଯୋଗ। ବନକଲାଗିରେ ମୁଖ୍ୟତଃ ଚାରି ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ, ଯାହା ହେଲା କଳା, ଧଳା, ନାଲି ଓ ହଳଦିଆ। ଆଉ ସେଥିପାଇଁ ଦରକାର ପଡୁଥିବା ସାମଗ୍ରୀ ଗୁଡ଼ିକ ହେଲା କଜ୍ଜ୍ୱଳ, ହିଙ୍ଗୁଳ, ହରିତାଳ, କସ୍ତୁରୀ, ଚନ୍ଦନ, କର୍ପୂର, କେଶର ଓ ଘୋରା ଶଙ୍ଖ। ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ। ହିଙ୍ଗୁଳକୁ ହଳଦିଆ ରଙ୍ଗ ଭାବେ ବ୍ୟବହାର ହେଉଥିବା ବେଳେ ହରିତାଳ ଲାଲ ରଙ୍ଗ ପାଇଁ ଦରକାର।

ବଳଭଦ୍ରଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ଅତି ଦରକାରୀ ଧଳା ରଙ୍ଗ ମୁଖ୍ୟତଃ ଘୋରା ହୋଇଥିବା ଦକ୍ଷିଣାବର୍ତ୍ତୀ ଶଙ୍ଖରୁ ସଂଗୃହୀତ ହୋଇଥାଏ। ସେହିପରି କଳାଠାକୁର ଜଗନ୍ନାଥଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ପ୍ରଜ୍ୱଳିତ ଦୀପରୁ ସଂଗୃହୀତ କଳା ବ୍ୟବହାର ହୋଇଥାଏ। ପ୍ରତ୍ୟେକ ସାମଗ୍ରୀ ରୁପା ଷଡ଼େଇରେ ରଖି ଗୋଳାଯିବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି କରାଯାଏ। ଯେହେତୁ ବର୍ତ୍ତମାନ ସମୟରେ କସ୍ତୁରୀ ଅତି ଦୁର୍ଲଭ ହୋଇଛି ଓ ନେପାଳରୁ ଆଉ ଏହା ଆସୁନାହିଁ। ତେଣୁ ତାକୁ ବାଦ ଦେଇ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଉଥିବା ବାକି ସାମଗ୍ରୀରେ ବନକଲାଗି କରାଯାଉଥିବା କହିଛନ୍ତି ଦତ୍ତ ମହାପାତ୍ର ସେବକ। ମହାପ୍ରଭୁଙ୍କ ବନକଲାଗି ଅତ୍ୟନ୍ତ ଗୁପ୍ତ ଓ ସମୟ ସାପେକ୍ଷ ନୀତି। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଠାକୁରମାନଙ୍କୁ ପହୁଡ଼ କରାଯାଇ ଏହି ନୀତି ଆରମ୍ଭ କରାଯାଏ। ଯାହାକି ଅତିକମ୍‌ରେ ୪ରୁ ୫ ଘଣ୍ଟା ଲାଗିଥାଏ। ଗତକାଲି ଶ୍ରୀଜିଉଙ୍କ ଶ୍ରୀମୁ୍ଖ ସିଂହାର ପରେ ଝଲସୁଛନ୍ତି ଶ୍ରୀଜିଉ ।

Leave A Reply

Your email address will not be published.