ଆସନ୍ତା ୩ ଦିନ ପ୍ରବଳ ତାତି, ସତର୍କ ସୂଚନା ଜାରି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତାତି ତ ତାତି, ପ୍ରବଳ ତାତି। ସକାଳୁ ସକାଳୁ ବାଘ ଭଳିଆ ମାଡି ଆସୁଛି ଖରା। ଏତେ ମାତ୍ରାରେ ଗରମ ହେଉଛି ଯେ, ଘରୁ ବାହାରକୁ ଯିବା ସମ୍ଭବ ହେଉନାହିଁ । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ରାଜ୍ୟରେ ୩ ଦିନ ପାଇଁ କିଛି ଜିଲାରେ ପ୍ରଚଣ୍ଡ ଖରା ହେବ। ଏପ୍ରିଲ ୧୩, ୧୪ ଓ ୧୫ରେ ରାଜ୍ୟରେ ଅଗ୍ନିବର୍ଷୀ ଖରା ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି। ତେଣୁ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏହାସହିତ ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ-ପଶ୍ଚିମରୁ ପ୍ରବାହିତ ତତଲା ବାୟୁ ଓଡ଼ିଶା ମଧ୍ୟକୁ ପ୍ରବାହିତ ହେବ।

ଫଳରେ ଦିନର ତାପମାତ୍ରା ସ୍ୱଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ। ବିଶେଷକରି ଆଭ୍ୟନ୍ତରିତ ଓଡ଼ିଶାରେ ଆସନ୍ତା ୪ ଦିନ ପାଇଁ ଅସହ୍ୟ ତାତି ଅନୁଭୂତ ହେବ। ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ୩ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ରେକର୍ଡ କରାଯାଇପାରେ। ଏଥିପାଇଁ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ ଲୋକେ ଘରୁ ବାହାରିବା ବେଳେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ। ଏହାସହିତ ରାଜ୍ୟରେ ଆଗାମୀ ୪ରୁ ୫ଦିନ ପର୍ୟ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିପାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତେଣୁ ଅଯଥା ଖରାକୁ ବାହାରନ୍ତୁ ନାହିଁ ।

Leave A Reply

Your email address will not be published.