ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଏକ ମହୁମାଛି ଦଳ ହଠାତ୍ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଥିବା ସେଣ୍ଟ୍ରାଲ୍ ମେଣ୍ଟାଲ୍ ହସ୍ପିଟାଲ୍ (ସିଆଇପି) ( କେନ୍ଦ୍ରୀୟ ମନୋଚିକିତ୍ସା ପ୍ରତିଷ୍ଠାନ) ରେ ଆକ୍ରମଣ କରିବାରୁ ହସପିଟାଲ ପରିସରରେ ଆତଙ୍କ ଖେଳିଯାଇଥିଲା । ମହୁମାଛିଙ୍କ କବଳରୁ ରକ୍ଷା ପାଇବାକୁ ରୋଗୀ ଓ ସାଧାରଣ ଲୋକମାନେ ଏଣେତେଣେ ଦୌଡୁଥିବାର ଦେଖାଯାଇଥିଲା ।
ତେବେ ହସପିଟାଲର କିଛି ନର୍ସଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ଅନେକ ଲୋକ ଏହି ଆକ୍ରମଣରୁ ରକ୍ଷା ପାଇଯାଇଥିଲେ । ନର୍ସମାନେ ଏକ ତରଳ ପଦାର୍ଥ ସ୍ପ୍ରେ କରିବାରୁ ମହୁମାଛିମାନେ ସେଠାରୁ ପଳାୟନ କରିଥିଲେ।ସିଆଇପି ହସ୍ପିଟାଲରେ ବୁଧବାର ୧୦୬ତମ ପ୍ରତିଷ୍ଠା ଦିବସ ପାଳନ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସମାରୋହ ପରେ ଲୋକମାନେ ଖାଇବାକୁ ପହଞ୍ଚିବା ମାତ୍ରେ ମହୁମାଛି ଦଳ ଅତିଥିମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଦେଇଥିଲେ।
ମହୁମାଛିଙ୍କ ଏହି ଆକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଦୌଡ଼ିବା ଆରମ୍ଭ କରିଥିଲେ, ଯାହାକୁ ନେଇ ଡାକ୍ତରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।ହସ୍ପିଟାଲରେ ହଠାତ୍ ମହୁମାଛି ଆକ୍ରମଣ ଯୋଗୁଁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଜୀବନ ବଞ୍ଚାଇବା ପାଇଁ ଲୋକେ ଦୌଡ଼ିବାକୁ ଲାଗିଲେ। ମହୁମାଛି ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି।