ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବିଦ୍ୟାଳୟରେ ପାଳିତ ହେଉଛି ପ୍ରବେଶ ଉତ୍ସବ । ୬ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ସୋମବାରଠାରୁ ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ଆଜିଠୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ ହେଉଛି ।ଉକ୍ତ ବୟସର ଯେଉଁ ପିଲାମାନେ ନାମ ଲେଖାଇବାକୁ ଥିବେ, ପାଠପଢ଼ା ଅଧାରୁ ଛାଡ଼ିଥିବେ କିମ୍ବା ଆଦୌ ନାମ ଲେଖାଇ ନ ଥିବେ ସେମାନଙ୍କୁ ବିଦ୍ୟାଳୟକୁ ଆଣିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି।
ଏହି ଉତ୍ସବ ମାଧ୍ୟମରେ ପିତାମାତା, ଅଭିଭାବକ ଓ ଲୋକଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ଓ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯିବ। ଶିକ୍ଷା ଅଧିକାର ନିୟମ-୨୦୧୦ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା, ବିଦ୍ୟାଳୟ ତଥା ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମନରେ ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍ କହିଛନ୍ତି।ଏପ୍ରିଲ ୫ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ଷ୍ଟାଣ୍ଡିଂ କମିଟିର ସଦସ୍ୟ, ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟା, ପିତାମାତା ସଂଘ, ମାତୃମଞ୍ଚ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବେସରକାରୀ ଅନୁଷ୍ଠାନ, ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା, ଅଙ୍ଗନୱାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରତିନିଧି, ଶିକ୍ଷାବିତ୍ ଏବଂ ପିଲାଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ।
ସ୍ଲୋଗାନ୍, ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର କରାଯିବ। ଶୋଭାଯାତ୍ରା ପରେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇ ବିଭିନ୍ନ ସଙ୍ଗଠନ/ବ୍ୟକ୍ତିବିଶେଷ ବିଦ୍ୟାଳୟର ଆଖପାଖରେ ଥିବା ଗ୍ରାମ ଓ ପଡ଼ାରେ ୬ରୁ ୧୪ ବର୍ଷ ବୟସର ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ। ପିଲାଙ୍କ ନାମଲେଖା ବିଦ୍ୟାଳୟରେ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ବୁଝାଇବେ।ଏପ୍ରିଲ୍ ୧୧ ପର୍ଯ୍ୟନ୍ତ ଏହି ଉତ୍ସବ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଓ ନାମଲେଖା ଅଭିଯାନ ଚାଲୁ ରହିବ।ଏପ୍ରିଲ ୧୨ରେ ବିଦ୍ୟାଳୟରେ ‘ପୂର୍ଣ୍ଣ ଉପସ୍ଥାନ ଦିବସ’ ପାଳନ କରାଯିବ। ଏହି ଦିନ ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରାଯିବା ସହ ପାଠ୍ୟପୁସ୍ତକ ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଫଟୋ ଚିତ୍ରଗୁଡ଼ିକୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅବଗତି ନିମନ୍ତେ ପଠାଇବାକୁ କୁହାଯାଇଛି।
ସପ୍ତାହ ବ୍ୟାପୀ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ଏକ ବ୍ୟାନର ଲଗାଯିବ। କାର୍ଯ୍ୟକ୍ରମ ଲାଗି ପ୍ରତି ବିଦ୍ୟାଳୟ ପାଇଁ ଏକ ହଜାର ଟଙ୍କା ବ୍ୟୟ ହେବ, ଯାହାକି ସମଗ୍ର ଶିକ୍ଷାର ଗୋଷ୍ଠୀ ସଞ୍ଚାଳନ ଉପ ବିଭାଗରୁ ଭରଣା କରାଯିବ। ୩୧୪ ବ୍ଲକ ଓ ଦୁଇଟି ସହରାଞ୍ଚଳ ସାଧନ କେନ୍ଦ୍ରରେ ଶିକ୍ଷା ସଚେତନତା ରଥ ପରିଭ୍ରମଣ କରିବ। ଏଥିପାଇଁ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟରୁ ବିଦ୍ୟାଳୟ ପିଛା ୫୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ। ଏଦିଗରେ ପଦକ୍ଷେପ ନେବାକୁ ଗଣଶିକ୍ଷା ସଚିବ ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଛନ୍ତି।