କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହଜାରେ ପାର । ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ବର । ଟିକାକେନ୍ଦ୍ର ବୃଦ୍ଧି ସହ ଭୁବନେଶ୍ବରରେ ବ୍ୟାପକ ହେଲା ଟିକାକରଣ । ସେପଟେ ରାଜ୍ୟରେ କୋଭିସିଲଡ ଟିକାର ରହିଛି ଘୋର ଅଭାବ । କେନ୍ଦ୍ରରୁ ଆସୁଥିବା ଟିକା ସମୁଦ୍ରକୁ ଶଙ୍ଖେ । ରାଜ୍ୟରେ ଦିନକ ପାଇଁ ପ୍ରଭାବିତ ହେଲା ଟିକାକରଣ । ବନ୍ଦ ହେଲା ୧୫ଶହ ଟିକାକେନ୍ଦ୍ର।
ଗତ ୨୪ଘଣ୍ଟାରେ ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୧୯୬ ନୂଆ ସଂକ୍ରମିତ । ସକ୍ରିୟ ମାମଲା ୭ହଜାର ପାର । ଚିନ୍ତା ବଢାଉଛି 0 ରୁ ୧୮ବର୍ଷ ବୟସ ବର୍ଗ ସଂକ୍ରମିତଙ୍କ ସଂଖ୍ୟା । ବିଭିନ୍ନ ବର୍ଗଙ୍କ ପାଇଁ ଦିଆଯାଉଛି ୩ପ୍ରକାରର ଟିକା । ୧୨ରୁ୧୪ ବର୍ଷ ବର୍ଗଙ୍କ ଟିକାକରଣ ୯୯.୯୮ ପ୍ରତିଶତ । ଉଭୟ କୋଭାକ୍ସିନ୍ ଓ କୋର୍ବିଭାକ୍ସ ଟିକା ଯଥେଷ୍ଟ ଥିଲେ ହେଁ କୋଭିସିଲ୍ଡ ଟିକାର ରହିଛି ଘୋର ଅଭାବ । ଟିକାର ଅଭାବ କାରଣରୁ ଦିନକ ପାଇଁ ପ୍ରଭାବିତ ହୋଇଛି ରାଜ୍ୟରେ ଟିକାକରଣ । ବନ୍ଦ ରଖିବାକୁ ପଡିଛି ୧୫ଶହ ଟିକାକେନ୍ଦ୍ର । ଗତ ରାତିରେ ଦୁଇଟି ପର୍ଯ୍ୟାୟରେ ପହଁଞ୍ଚିଥିବା ୭ଲକ୍ଷ ୮୦ହଜାର ଡୋଜ୍ କୋଭିସିଲ୍ଡ ଟିକାକୁ କୋଲ୍ଡ ଚେନ ଜରିଆର ସବୁ ଜିଲ୍ଲାକୁ ପଠାଯାଉଛି । ଶୁକ୍ରବାର ଠାରୁ ଟିକାକରଣ ସ୍ବାଭାବିକ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ।
ଗ୍ରୀନ୍ ଜୋନ୍ ,ୟେଲୋ ଜୋନ୍ ରେ ରହିଛି ଖୋର୍ଦ୍ଧା ଜିଲ୍ଲା । ତାଲିକାର ଶିର୍ଷରେ ଥିବା ଖୋର୍ଦ୍ଧାରୁ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ଶତକଡା ୯୦ପ୍ରତିଶତ ଭୁବନେଶ୍ବରରୁ । ରାଜଧାନୀ ଭୁବନେଶ୍ବର ପାଲଟିଛି ହଟସ୍ପଟ । ଟେଷ୍ଟିଂ ଅଧିକ ହେଉଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା କହିଛନ୍ତି ବିଏମ୍ସି କମିଶନର । ସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ଭିତ୍ତିଭୂମିରେ ବୃଦ୍ଧି କରାଯିବ । ସେପଟେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରିଛି ବିଏମ୍ସି । ୩ଟି ସପିଂ ମଲ ସହିତ ମୋଟ ୩୨ଟି କେନ୍ଦ୍ରରେ କରାଯାଉଛି ଟିକାକରଣ । ଆଗକୁ ଟିକାଦାନ କେନ୍ଦ୍ର ଆହୁରି ବଢାଇ ରାଜଧାନୀରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ଚାଲିଛି ପ୍ରୟାସ। ଭୁବନେଶ୍ବରରେ ମାଗଣା ବୁଷ୍ଟର ଡୋଜ୍ କ୍ଷେତ୍ରରେ ଉଭୟ ଅନଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ମିଳୁଛି ଟିକା । ନିୟମିତ ବ୍ୟବଧାନରେ କେନ୍ଦ୍ରରୁ ଟିକା ନଆସିଲେ ରାଜ୍ୟରେ ଟିକାର ସଙ୍କଟ ଜାରି ରହିବ।