ବଡ ଖବର, ରାଉରକେଲାରେ ଭାଙ୍ଗିପଡିଲା ୪୦ ଫୁଟ ଉଚ୍ଚର ହକି ଷ୍ଟାଚ୍ୟୁ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ରାଉରକେଲାରେ ୫ ମାସ ତଳେ ହକି ବିଶ୍ୱକପ୍ ପାଇଁ   ନିର୍ମାଣ ହୋଇଥିଲା ୪୦ ଫୁଟ ଉଚ୍ଚର ହକି ଷ୍ଟାଚ୍ୟୁ । ତାହା ଭାଙ୍ଗି ମାଟିରେ ଲୋଟିପଡିଛି । ତେବେ ଏତେ ବଡ଼ ପ୍ରତିମୂର୍ତ୍ତି କେମିତି ଗଳି ପଡିଲା ସେନେଇ ପ୍ରଶ୍ନ ଉଠିଛି । ସାମାନ୍ୟ ବର୍ଷା ପବନରେ ଏମିତି ହୋଇଥିବା କୁହାଯାଉଥିବା ବେଳେ ନିମ୍ନମାନର କାମ ହୋଇଥିବା ବି ଅଭିଯୋଗ ହୋଇଛି ।

ମାଟିରେ ମୁହଁ ମାଡି ପଡିଛି ହକି ଖେଳାଳିଙ୍କ ଷ୍ଟାଚ୍ୟୁ । ଧରାଶାୟୀ, ଟନ୍ ଟନ୍ ଲୁହାରେ ତିଆରି ୪୦ ଫୁଟର ବିରାଟ ପ୍ରତିମୂର୍ତ୍ତି । ରାଉରକେଲା ବିମାନ ବନ୍ଦରକୁ ଲାଗି ରହିଥିବା ଏହି ପ୍ରତିମୂର୍ତ୍ତି ଆଜି ଅପରାହ୍ଣ ପ୍ରାୟ ସାଢେ ଗୋଟାଏବେଳେ ଗଳିପଡିଛି । ତେବେ ଏତେ କମ୍ ସମୟ ମଧ୍ୟରେ ହଠାତ୍ ଏତେ ବଡ ପ୍ରତିମୂର୍ତ୍ତି କେମିତି ଗଳି ପଡିଲା, ତାହା ସ୍ପଷ୍ଟ ହୋଇନି । ସେପଟେ ଷ୍ଟାଚ୍ୟୁ ଗଳି ପଡିବା ପରେ ତାକୁ ପ୍ରଶାସନ ପକ୍ଷରୁ ବିଜୁଳି ବେଗରେ ଘୋଡାଇ ଦିଆଯାଇଛି । ଘଟଣାରେ କେହି ମୃତାହତ ହୋଇନଥିବାବେଳେ ସାମାନ୍ୟ ବର୍ଷା ଓ ପବନରେ ଏମିତି ହୋଇଥିବା କୁହାଯାଉଛି । ତେବେ ସ୍ଥାନୀୟ ଲୋକେ ଏଥିପାଇଁ ନିମ୍ନ ମାନର କାମକୁ ଦାୟୀ କରିଛନ୍ତି ।

ସୂଚନାଥାଉକି, ଜାନୁଆରୀ ୨୦୨୩ରେ ହକି ବିଶ୍ୱକପ୍ ପାଇଁ ସଜେଇ ହୋଇଥିଲା ସ୍ମାର୍ଟ ସିଟି ରାଉରକେଲା । ସହର ସୌନ୍ଦର୍ଯ୍ୟକରଣ ତଥା ହକି ପ୍ରତି ଆକର୍ଷଣ ବଢାଇବାକୁ ଏୟାରପୋର୍ଟ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ପାଖ ଅଂଚଳରେ ନିର୍ମାଣ ହୋଇଥିଲା ହକି ଖେଳାଳିଙ୍କ ବିଶାଳ ପ୍ରତିମୂର୍ତ୍ତି । ଯେଉଁଥିରେ ବ୍ୟବହାର ହୋଇଥିଲା ଟନ୍ ଟନ୍ ଅଦରକାରୀ ଲୁହା । କାରିଗର ବାହାରୁ ଆସିଥିଲେ । ଷ୍ଟାଚ୍ୟୁ ପାଖ ଅଂଚଳକୁ ରଙ୍ଗୀନ ଆଲୁଅରେ ସଜାଇବା ସହ ଓ ଫାଉଣ୍ଟେନର ବ୍ୟବସ୍ଥା ହୋଇଥିଲା । ପୂରା ଅଂଚଳରେ ଗଢି ଉଠିଥିଲା ପାର୍କ । ସକାଳୁ ସନ୍ଧ୍ୟା ଯାଏଁ ଶହ ଶହ ଲୋକଙ୍କ ଭିଡ଼ ଜମୁଥିଲା ଏଠାରେ । କହିବାକୁ ଗଲେ, ପୁରା ସହରର ସବୁଠୁ ଆକର୍ଷଣ ଓ ସେଲଫି କର୍ଣ୍ଣର ପାଲଟିଥିଲା ଏହି ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତିସ୍ଥଳର ସୌନ୍ଦର୍ଯ୍ୟକରଣ ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ମାସ ପାଂଚଟା ଯାଇନି, ଷ୍ଟାଚ୍ୟୁ ଭାଙ୍ଗି ମାଟିରେ ଲୋଟି ପଡିଛି । ସେପଟେ କେଉଁ ପରିସ୍ଥିତିରେ ମୂର୍ତ୍ତି ଗଳି ପଡିଲା, ତାର ତଦନ୍ତ ହେବ ବୋଲି କହିଛନ୍ତି, ରାଉରକେଲା ମହାନଗର ନିଗମ କମିଶନର । ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ ହୋଇଛି ।

ଏବେ ଷ୍ଟାଚ୍ୟୁ ଗଳି ପଡିବା ପରେ ରାଉରକେଲା ସୌନ୍ଦର୍ଯ୍ୟକରଣ ନାଁରେ ହୋଇଥିବା ଏକାଧିକ ପ୍ରକଳ୍ପ ଉପରେ ବି ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.