ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାହାଙ୍ଗାରେ ବିଜୁ ଜନତା ଦଳର ବିଶାଳ ସମାବେଶ। ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏହି ସମାବେଶ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁଆଁପାଳ ଜବାହାରଲାଲ ନେହେରୁ କଲେଜ ପଡ଼ିଆରେ ପ୍ରତାପ ଜେନା ଆୟୋଜନ କରିଥିଲେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ତଥା ୨୬ ତମ ପ୍ରତିଷ୍ଠା ଦିବସ। ପୁରୀରେ ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ପରେ କୌଣସି ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ ଏହା ପ୍ରଥମ।
ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ସମାବେଶ ଭଳି ମାହାଙ୍ଗାରେ ମଧ୍ୟ ଏସଏଚଜି ମହିଳାଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଏହି ସମ୍ମିଳନୀରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରୁ କର୍ମୀ ଓ ଜନସାଧାରଣଙ୍କ ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଯୋଗ ଦେଇଥିଲେ। ଏହି ସମାବେଶରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।
ସମସ୍ତେ ମିଳିମିଶି କାମ କରିବା, ଗାଁ ପଞ୍ଚାୟତ ଓ ମାହାଙ୍ଗାର ଉନ୍ନତି କରିବାକୁ ଏହି ସଭାରେ ଆହ୍ୱାନ ଦେଇଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା। ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ୱପ୍ନକୁ ନବୀନ ପଟ୍ଟନାୟକ ପୂରଣ କରି ଚାଲି ଥିବା ବେଳେ ୨୦୨୪ ନିର୍ବାଚନରେ ମହିଳା ମାନେ ନବୀନ ପଟ୍ଟନାୟକଙ୍କୁ ଆର୍ଶୀବାଦ କରିବା ସହ ମାହାଙ୍ଗାରେ ପ୍ରତାପ ଜେନାଙ୍କୁ ବିଜୟୀ କରାଇବାକୁ ନିବେଦନ କରିଥିଲେ ଜିଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ। ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଶେଷ ଭାବେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବା ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ସଶକ୍ତ କରି ପାରିଛି ବୋଲି ସମାବେଶରେ ଉପସ୍ଥିତ ମହିଳା ମାନେ ମତବ୍ୟକ୍ତ କରିଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ପ୍ରତାପଙ୍କ ଏଭଳି ସମାବେଶକୁ ନେଇ ମାହାଙ୍ଗା ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ସମାବେଶରେ ବିଶେଷ ଭାବେ ମହିଳାମାନଙ୍କର ଭିଡ଼ ଜମିଥିଲା।