ଓଡିଆ ନ୍ୟୁଜ (ବ୍ୟୁରୋ) : ଜମ୍ମୁ କାଶ୍ମୀର ପୁଂଚରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ନିରାପତ୍ତା ବଳ ଜଣେ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିବା ସହିତ ଆଉ ଜଣଙ୍କ ଉପରକୁ ଗୁଳି ଚଳାଇ ଅନୁପ୍ରବେଶ ଉଦ୍ୟମ ବିଫଳ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ରାତ୍ରୀର ଅନ୍ଧକାରରେ କେତେଜଣ ଆତଙ୍କବାଦୀ ଲୁଚି ଲୁଚି ସୀମା ଏପାରିକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଦେଗୱାର୍ ସେକ୍ଟର୍ରେ ସଜାଗ ଥିବା ଯବାନମାନଙ୍କ ଦୃଷ୍ଟିରେ ପଡ଼ିଥିଲେ। ତାଦପରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଜମ୍ମୁସ୍ଥିତ ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ ଲେଫ୍ଟ୍ନାଣ୍ଟ୍ କର୍ଣ୍ଣେଲ୍ ସୁନୀଲ୍ ବର୍ତୱାଲ୍ କହିଛନ୍ତି, ଅତର୍କିତ ଆକ୍ରମଣ ପାଇଁ ସଜାଗ ଥିବା ସେନା ଯବାନମାନେ ରାତି ପ୍ରାୟ ୨ଟା ବେଳେ ଗଡ଼ି ବାଟାଲିୟନ୍ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ସହିତ ମୁକାବିଲା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ଦେଗୱାର ତେରବା ସାଧାରଣ ଅଞ୍ଚଳରେ ୨ଜଣ ବ୍ୟକ୍ତି ନିୟନ୍ତ୍ରଣ ରେଖା ଟପି ଆସିଥିଲେ।
ଫଳରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଗୁଳିଚୋଟରେ ଜଣେ ଆତଙ୍କବାଦୀ ଟଳି ପଡ଼ିଥିବା ବେଳେ ଆଉ ଜଣେ ପିଣ୍ଟୁ ନଳା ଆଡ଼କୁ ପଳାଇ ଯାଇଛନ୍ତି। ଭାରତୀୟ ସେନା ଓ ଜମ୍ମୁ ଓ କଶ୍ମୀର ପୁଲିସର ମିଳିତ ଅଭିଯାନରେ ସାମିଲ ହୋଇଥିବା ଯବାନମାନେ କହିଛନ୍ତି ଯେ, ଗୁଳିଚୋଟରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଶବ ଏପର୍ୟ୍ୟନ୍ତ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପାରିନାହିଁ। ଅନ୍ୟପଟେ ଏବେବି ସ୍ଥାନୀୟ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।