ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମନ୍ କି ବାତ୍ର ୧୦୦ତମ ଏପିସୋଡ୍ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ। ମନ୍ କି ବାତ୍ର ୧୦୦ତମ ଏପିସୋଡ୍ ପୂର୍ବରୁ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ଏବଂ ବିଲେନିୟର ବିଲ୍ ଗେଟ୍ସ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ ମନ୍ କି ବାତ୍ ସ୍ୱଚ୍ଛତା, ସ୍ୱାସ୍ଥ୍ୟ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସାମୁହିକ ବିକାଶ ଲକ୍ଷ୍ୟ ସହ ଜଡ଼ିତ ଅନ୍ୟ ପ୍ରସଙ୍ଗ ଉପରେ ସମୁଦାୟ ନେତୃତ୍ୱରେ କାର୍ଯ୍ୟକୁ ପ୍ରେରିତ କରିଛି ।
୨୦୧୪ ଅକ୍ଟୋବର ୩ରେ ପ୍ରଥମ ଥର ପାଇଁ ପ୍ରସାରିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଏପ୍ରିଲ ୩୦ରେ ୧୦୦ତମ ଏପିସୋଡ୍ ପୂରଣ କରିବ । ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମର ୧୦୦ତମ ଏପିସୋଡକୁ ୧୦୦୦ରୁ ଅଧିକ ରେଡିଓ ଷ୍ଟେସନରେ ପ୍ରସାରିତ କରାଯିବ । ଏଥିରେ ଘରୋଇ ଏଫଏମ ଷ୍ଟେସନ, ସାମୁହିକ ରେଡିଓ ଏବଂ ବିଭିନ୍ନ ଟିଭି ଚ୍ୟାନେଲ ସାମିଲ ରହିଛି,ବିଜେପି କହିଛି ଯେ ସାରା ଦେଶରେ ପ୍ରାୟ ଚାରି ଲକ୍ଷ ସ୍ଥାନରେ ବ୍ୟବସ୍ଥା କରିବ। ଏହାଦ୍ୱାରା ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ସମ୍ୱୋଧନକୁ ଶୁଣି ପାରିବେ ।
ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା ଏହି ଦିନକୁ ଐତିହାସିକ ଏବଂ ସଫଳ କରାଇବା ପାଇଁ ନିଜେ ତଦାରଖ କରୁଛନ୍ତି । ମନ୍ କି ବାତ୍ @୧୦୦ ସମାରୋହ ପାଇଁ ଏକ ସ୍ମାରକ ଡାକ ଟିକେଟ୍ ଏବଂ ଗୋଟିଏ ମୁଦ୍ରା ଉନ୍ମୋଚନ କରାଯାଇଥିଲା ।କେନ୍ଦ୍ରରେ ବିଜେପି ସରକାର ଆସିବାର ତୁରନ୍ତ ପରେ ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରଥମ ଥର ପ୍ରସାରଣ କରାଯାଇଥିଲା ।
ଏହାପରେ ବର୍ଷ ବର୍ଷ ଧରି ଏହି କାର୍ଯ୍ୟକ୍ରମରେ ଜଳବାୟୁ, ପାଣିପାଗ, ସ୍ୱଚ୍ଛତା, ବିଭିନ୍ନ ସାମାଜିକ ପ୍ରସଙ୍ଗ ଏବଂ ପରୀକ୍ଷା ସହ ଅନେକ ବିଷୟକୁ ସାମିଲ କରାଯାଇଥିଲା । ମନ୍ କି ବାତ୍ କାର୍ଯ୍ୟକ୍ରମ ଅଲ୍ ଇଣ୍ଡିଆ ରେଡିଓ ଦ୍ୱାରା ୨୦ ଭାରତୀୟ ଭାଷା, ୧୧ ବିଦେଶୀ ଭାଷାରେ ଅନୁବାଦ କରାଯାଉଛି ।