ମଣିଷକୁ ସଂକ୍ରମଣ ହୋଇନାହିଁ ବାର୍ଡ ଫ୍ଲୁ: ସ୍ୱାସ୍ଥ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇ ନାହିଁ । ଏନେଇ ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।  ଗତକାଲି ମନୁଷ୍ୟକୁ ବାର୍ଡ ଫ୍ଲୁ ହୋଇଥିବା ମନ୍ତ୍ରୀ ଏକ ଗଣମାଧ୍ୟମକୁ କହିଥିବା ବେଳେ ଆଜି ନିଜ ଛେପ ଢୋକିଛନ୍ତି । ସେ କହିଛନ୍ତି ‘ରାଜ୍ୟରେ ମନୁଷ୍ୟକୁ ବାର୍ଡଫ୍ଲୁ ହୋଇ ନାହିଁ ।

ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା ତାହା ନେଗେଟିଭ ଆସିଛି ।’ ତେଣୁ ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ମଙ୍ଗଳବାର ପୁରୀ ଜିଲ୍ଲା ମଙ୍ଗଳପୁର CHCରେ ଚିକିତ୍ସାଧୀନ ଜଣେ ଅସୁସ୍ଥଙ୍କୁ ଜ୍ୱର ହେବାରୁ ତାଙ୍କ ରକ୍ତ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ଯାହା ନେଗେଟିଭ ଆସିଛି । ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ପକ୍ଷରୁ ବୁଧବାର ମିଳିଥିବା ସୂଚନାନୁଯାୟୀ, ୨ ଜଣ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ।

ଲକ୍ଷଣ ଥିବା ୨ ଜଣଙ୍କ ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଥିଲା। ପୁଣେ ଭାଇରୋଲୋଜି ସେଣ୍ଟରକୁ ମଧ୍ୟ ନମୁନା ପଠାଯାଇଥିଲା। ରିପୋର୍ଟକୁ ଅପେକ୍ଷା ରହିଥିଲା। ଏନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆରଏମଆରସି ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତଥ୍ୟ ଦେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ।

Leave A Reply

Your email address will not be published.