ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୂଣ୍ୟତିଥିରେ ସାମାନ୍ୟ ଫୁଲ ଖଣ୍ଡେ ପାଇଲା ନାହିଁ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି | ରବିବାର ୯ ଜୁନ ରହିଥିଲା ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ମହାନ୍ କ୍ରାନ୍ତିକାରୀ ତଥା ଜନନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୪ ତମ ପୂଣ୍ୟତିଥି।
ମାତ୍ର ନିଜକୁ ଆଦିବାସୀଙ୍କ ନେତା, ଆଦିବାସୀ ସଂଗଠନ ମୁଖ୍ୟ କୁହାଉଥିବା ନେତା ବା ପ୍ରଶାସନ ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ସାମାନ୍ୟ ଫୁଲ ଖଣ୍ଡେ ଦେବାକୁ ଭୁଲିଗଲେ | ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସୀମାନ୍ତ ସହର ବଡବିଲ ବିର୍ସାମୁଣ୍ଡା ଛକ ଠାରେ । ଏଠାରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଧୂଳି ଜମା ହୋଇ ରହିଥିବା ବେଳେ କିଛି ପୁରୁଣା ଗେଣ୍ଡୁମାଳ ପିନ୍ଧା ହୋଇ ରହିଥିଲା।
ପୂର୍ଣ୍ୟତିଥିରେ କୌଣସି ଆଦିବାସୀ ନେତା ବା ପ୍ରଶାସନ ପକ୍ଷରୁ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସଫା କରା ଯାଇ ନ ଥିବା ବେଳେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ମହା ପୁରୁଷଙ୍କ ପ୍ରତିମୂର୍ତ୍ତି ଆଜି ସାମାନ୍ୟ ଫୁଲ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇ ରହିଗଲେ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।