ସସ୍ମିତ ପାତ୍ର ମିଛକୁ ବାରମ୍ବାର କହି ସତର ଭ୍ରମ ତିଆରି କରିବାରେ ଧୂରନ୍ଧର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ଉତ୍ତର ନଦେଇ ଓଲଟି ମିଛ କହୁଛି ବିଜେଡି: ମୁକେଶ ମହାଲିଙ୍ଗ୍
ଓଡ଼ିଆ ନ୍ୟୁଜ୍(ବ୍ୟୁୁରୋ): ବିଜୁ ଜନତା ଦଳର ପ୍ରବକ୍ତା ସସ୍ମିତ ପାତ୍ର ମିଛକୁ ବାରମ୍ବାର କହି ସତର ଭ୍ରମ ତିଆରି କରିବାରେ ଧୂରନ୍ଧର l ସସ୍ମିତ ବାବୁ ମିଛକୁ ବାରମ୍ବାର ବଡ ପାଟିରେ କହିଲେ ତାହା ସତ ହେବ ନାହିଁ ବୋଲି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ୍ ଏକ ପ୍ରେସ ବାର୍ତ୍ତା ଜରିଆରେ କହିଛନ୍ତି ।
ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପଦ୍ମପୁର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ସବୁ ପ୍ରଶ୍ନ କରିଥିଲେ ତାହାର ଉତ୍ତର ବିଜୁ ଜନତା ଦଳ ନ ଦେଇ ଓଲଟି ଆହୁରି ମିଛ କହୁଛନ୍ତି । ମୁଖ୍ୟମନ୍ତ୍ରୀ ଗତକାଲି ଯେଉଁ ମିଛ କହିଥିଲେ ଆଜି ସେହି ମିଛ ଠାରୁ ସସ୍ମିତ ବାବୁଙ୍କର ମିଛ ବଳିଗଲା । ପଦମପୁରରେ ବିଜୁ ଜନତା ଦଳ ହାରିବା ଜାଣି ସସ୍ମିତ ବାବୁ ଏବେ ମୁଖ୍ୟମନ୍ତ୍ରୀଙ୍କର ଛବି ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି ।
କେନ୍ଦୁପତ୍ରରୁ ରାଜ୍ୟ ସରକାର 200 କୋଟି ଟଙ୍କା ଆୟ କରୁଥିବା ବେଳେ ନିଜେ ନେଉଥିବା 9 ପ୍ରତିଶତ ଜିଏସଟି ଛାଡ଼ କରିବା କଥା କହିଲେ ବିଜୁ ଜନତା ଦଳର ନାହି ଡେଉଁଛି କାହିଁକି? ସସ୍ମିତ ବାବୁଙ୍କୁ ଆମର ପ୍ରଶ୍ନ ବିନା ଜମିରେ ରେଳ ପ୍ରକଳ୍ପ କାମ ଆରମ୍ଭ ହୋଇପାରେ କି? 11ମାସରେ ପଦମପୁର ରେଳ ପ୍ରକଳ୍ପ ପାଇଁ କେତେ ଜମି ଚିହ୍ନଟ କରି ହସ୍ତାନ୍ତର କରିଛନ୍ତି ତାହାର ଉତ୍ତର ରଖିବେ କି ବୋଲି ଶ୍ରୀ ମହାଲିଙ୍ଗ୍ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡିଶା ପ୍ରତି ପ୍ରତିବଦ୍ଧତା ସାରା ଓଡିଶା ଜାଣିଛି । ଓଡିଶାର ରାଜସ୍ୱ ମନ୍ତ୍ରୀ ନୂତନ ଜିଲ୍ଲା ଗଠନ କରିବାର ଯୋଜନା ନଥିବା ବିଧାନସଭାରେ କହିଛନ୍ତି । ପୁଣି ମୁଖ୍ୟମନ୍ତ୍ରୀ ଗତକାଲି ପଦ୍ମପୁର ଜିଲ୍ଲା 2023 ସୁଦ୍ଧା କରିବା କହି ପଦ୍ମପୁରବାସୀଙ୍କ ସହ ମିଛ ଛଳନା କାହିଁକି କରିଛନ୍ତି ବୋଲି ବିଜେପି ନେତା ପ୍ରଶ୍ନ କରିଛନ୍ତି ।