ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟର ପ୍ରତିକ୍ରିୟା ରଖିଲା ବିଜେପି, ସାଆନ୍ତଙ୍କ କ୍ରୀତଦାସ ହେବା ପରେ ବୋଧେ ଗୁମାସ୍ତାମାନେ ନିଜର କାଣ୍ଡ ଜ୍ଞାନ ହରାଇଛନ୍ତି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାଆନ୍ତଙ୍କ କ୍ରୀତଦାସ ହେବା ପରେ ବୋଧେ ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ ନିଜର କାଣ୍ଡ ଜ୍ଞାନ ହରାଇଛନ୍ତି । ମେଡିକାଲ କଲେଜ ଚଲାଇବା ପାଇଁ ତତ୍ପରତା ଦେଖାଇବା ପରିବର୍ତ୍ତେ ଧନ୍ୟବାଦ ପାଇବା ପାଇଁ ସେ ଏତେ ବ୍ୟାକୁଳ କାହିଁକି ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ।
ସେ ଟ୍ୱିଟ୍ କରି କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଲା ଦିନରୁ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ପୁରୋଧା ପବିତ୍ର ମୋହନ ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ବିକାଶ କରୁଛନ୍ତି । ମୋଦି ସରକାର ତାଳଚେର ମେଡିକାଲ କଲେଜ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଆବଶ୍ୟକୀୟ ଖର୍ଚ୍ଚ ବାବଦକୁ 1500 କୋଟି ଟଙ୍କା ଏମସିଏଲ ପକ୍ଷରୁ ଯୋଗାଇ ଦିଆଯାଇଛି । ପନ୍ଦର ମାସରେ ଯଦି ହକି ଷ୍ଟାଡିୟମ ନିର୍ମାଣ ହେଉଛି, ସବୁ ଥାଇ ମଧ୍ୟ ମେଡିକାଲ କଲେଜ ପରିଚାଳନା ପାଇଁ ବିଳମ୍ବ କାହିଁକି ?
ମେଡିକାଲ କଲେଜ ଚଲାଇବା ପାଇଁ ତତ୍ପରତା ଦେଖାଇବା ପରିବର୍ତ୍ତେ ଧନ୍ୟବାଦ ପାଇବା ପାଇଁ ଆପଣ ଏତେ ବ୍ୟାକୁଳ କାହିଁକି ? ମେଡିକାଲ କଲେଜ ପ୍ରତି ଆପଣଙ୍କର ଅବଦାନ କଣ, ଏହା ପ୍ରଥମେ ସ୍ପଷ୍ଟ କରନ୍ତୁ । ଆପଣଙ୍କ ଏପରି ମନ୍ତବ୍ୟ ସାଆନ୍ତ ଏବଂ ସାଆନ୍ତଙ୍କ ଗୁମାସ୍ତା ପାଇଁ ଚାଟୁକାରିତା ପାଇଁ ଉଦ୍ଦିଷ୍ଟ ।
ରାଜନୀତିରୁ ଉର୍ଦ୍ଧ୍ୱରେ ଉଠି ଲୋକଙ୍କ କଲ୍ୟାଣ ତଥା ଓଡ଼ିଶାର ହିତ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ତାଳଚେରରେ ମେଡିକାଲ କଲେଜ ସ୍ଥାପନା କରିଛନ୍ତି । ଆପଣ କିମ୍ବା ଆପଣଙ୍କ ସାଆନ୍ତ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପରିବର୍ତ୍ତେ ମେଡିକାଲ କଲେଜ ଚଲାଇବାରେ ବାଧକ ସାଜିଛନ୍ତି ବୋଲି ଶ୍ରୀ ସାମଲ ଟ୍ୱିଟ୍ କରିଛନ୍ତି ।se