ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ବିଧାନସଭା ନିର୍ବାଚନ ଓ ଆସନ୍ତାବର୍ଷ ଲୋକସଭା ନିର୍ବାଚନ ପାଇଁ ଉଭୟ ବିରୋଧୀ ଓ ଶାସକ ତୃଣମୁଳ ସ୍ତରରୁ ପ୍ରସ୍ତୁତି କରୁଛନ୍ତି । ତେଣୁ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି କରିଛନ୍ତି । ସଂସଦର ଉଭୟ ସଦନରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିନ ୧୨ଟା ପର୍ୟ୍ୟନ୍ତ ରାଜ୍ୟସଭା, ୨ଟା ପର୍ୟ୍ୟନ୍ତ ଲୋକସଭା ମୁଲତବି ରଖାଯାଇଛି ।
ଅନପଟେ ମୌସୁମୀ ଅଧିବେଶନରେ ସଂସଦରେ ଉଠିବ ଓଡ଼ିଶାର ଦାବି। ୯ଟି ପ୍ରସଙ୍ଗକୁ ଗୃହରେ ଉଠାଇବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ମହିଳା ସଂରକ୍ଷଣ ବିଲ୍, ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବି ଏବଂ ପିଏମଜିକେଏୱାଇରେ ୭ ଲକ୍ଷ ଲୋକଙ୍କ ପାଇଁ ଘର ଏବଂ ପିଏମଏୱାଇରେ ୫ କେଜି ଚାଉଳ ପୁଣି ଦେବାକୁ ଦାବି ଉଠାଇବ। ଚାଷୀଙ୍କ ସ୍ୱାର୍ଥ ପାଇଁ ବଳକା ଚାଉଳ ଉଠାଣ, ଏମଏସପି ଏବଂ ଠିକ୍ ସମୟରେ ଫସଲ କିଣାବିକା ପ୍ରସଙ୍ଗ ସଂସଦରେ ଉଠାଇବ ବିଜେଡି। ଏଥିସହ ସାର ଯୋଗାଣ, ଯୋଗାଯୋଗ ଭିତ୍ତିଭୂମି, କେନ୍ଦୁପତ୍ରରୁ ୧୮ ପ୍ରତିଶତ ଜିଏସଟି ହଟାଇବା ନେଇ ଗୃହରେ ଦାବି ଉଠାଯିବ।
ଏଥର ମୌସୁମୀ ଅଧିବେଶନରେ କମ୍ପିବ ସଂସଦ। କାରଣ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ କାଉଣ୍ଟର କରିବା ପାଇଁ ବିରୋଧୀ ସଜବାଜ ହୋଇ ସାରିଥିବା ବେଳେ ଶାସକ ଦଳ ତାର ଉତ୍ତର ଦେବା ପାଇଁ ମଧ୍ୟ ପ୍ରସ୍ତୁତ।
ସଂସଦରେ ମଣିପୁର ପ୍ରସଙ୍ଗ ପରି ବିଭିନ୍ନ ପ୍ରସଙ୍ଗ ଉଠାଇବ କଂଗ୍ରେସ। ଏନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, କଂଗ୍ରେସ ମଣିପୁର ହିଂସା ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିବ। ଏ ନେଇ ସଂସଦରେ ଆଲୋଚନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅନ୍ୟପଟେ ସରକାର ମଧ୍ୟ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି।