ବନ୍ୟାଂଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରିବା ପାଇଁ ବିଜେପି ଗଠନ କଲା ଦୁଇଟି କମିଟି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାର ବନ୍ୟା ଜଳ ପରିଚାଳନା ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ଆଜି ରାଜ୍ୟର ୧୨ରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ବନ୍ୟା ଜଳରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲାବେଳେ ୩୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି । ବନ୍ୟା ପ୍ଳାବିତ ଜନସାଧାରଣଙ୍କୁ ବିଜେପିର କାର୍ଯ୍ୟକର୍ତା ନିଷ୍ଠାର ସହ ଆଗେଇ ଆସି ଉଦ୍ଧାର କାର୍ଯ୍ୟ, ରିଲିଫ କାର୍ଯ୍ୟ ସହ ଜଳ ବନ୍ଧୀରେ ଥିବା ଲୋକଙ୍କ ପାଖରେ ପଂହଚିବାକୁ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆହ୍ୱାନ ଦେଇଛନ୍ତି । ଏଥି ସହ ବନ୍ୟାଂଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦୁଇଟି କମିଟି ଗଠନ କରିଛନ୍ତି ।
ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ବିଧାୟକ ଜୟନ୍ତ ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି ଏବଂ ଭୁବନ ମୋହନ ଜେନା ସାମିଲ ଅଛନ୍ତି ।

ସେହିଭଳି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ଗଠିତ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବରିଷ୍ଠ ନେତା ପଦ୍ମଲୋଚନ ପଣ୍ଡା, ରାଜ୍ୟ ସଂପାଦକ ଅମର ନାୟକ, ଅଭିମନ୍ୟୁ ସେଠୀ, ନମାମୀ ଗଙ୍ଗେ ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାଶ ପ୍ରମୁଖ ସାମିଲ ଅଛନ୍ତି । ଏହି ଦୁଇଟି ଟିମ୍ ବନ୍ୟା ପ୍ରଭାବିତ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ନୟାଗଡ ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.