ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଦିଲ୍ଲୀରେ କନ୍ଦାଉଛି ଯମୁନା। କମୁଛି ଜଳସ୍ତର ହେଲେ କମୁନି ଦୁର୍ଦ୍ଦଶା । ଯମୁନାର ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିପାଇଁ ଦିଲ୍ଲୀବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ଦିଲ୍ଲୀବାସୀ ସହରରେ ଭର୍ତ୍ତି ହୋଇଥିବା ପାଣିକୁ ନେଇ ସଂଘର୍ଷ କରୁଛନ୍ତି। ସେପଟେ ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ବିବାଦ ଜାରି ରହିଛି ।
ଉଭୟ ଦଳ ଲଗାତାର ପରସ୍ପରକୁ ଦୋଷ ଦେଉଛନ୍ତି। ଦିଲ୍ଲୀ ବନ୍ୟା ପ୍ରସଙ୍ଗରେ ଆପ୍ ସରକାର କେନ୍ଦ୍ର ଓ ଉପରାଜ୍ୟପାଳଙ୍କୁ ଘେରିଥିବାବେଳେ ତାହାର ଜବାବ ଦେଇଛି ବିଜେପି । ବିଜେପି କହିଛି ଯେ ଆପ୍ ଏହି ସମୟରେ ମଧ୍ୟ କାମ କରିବା ପରିବର୍ତ୍ତେ ଅନ୍ୟମାନଙ୍କ ମୁଣ୍ଡରେ ଦୋଷ ଲଦୁଛି । କେନ୍ଦ୍ର, ଏଲଜି ଓ ଟିମ୍ ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି। ଏଣୁ ଆପ ଅଭିଯୋଗ କରିବା ପରିବର୍ତ୍ତେ କାମ କରିବାକୁ ବିଜେପି ପରାମର୍ଶ ଦେଇଛି । ବିଜେପି ଆହୁରି ମଧ୍ୟ କହିଛି ଯେ ଆପ୍ ସରକାର କେବଳ ଅଭିଯୋଗ କରୁଛନ୍ତି।
ଏପରିକି ସେମାନଙ୍କ ମନ୍ତ୍ରୀମାନେ ଏନଡିଆରଏଫକୁ ମଧ୍ୟ ଛାଡ଼ୁନାହାନ୍ତି।ଏହା ପୂର୍ବରୁ ଦିଲ୍ଲୀ ବନ୍ୟା ପ୍ରସଙ୍ଗରେ ଆପ ଦିଲ୍ଲୀର ଉପରାଜ୍ୟପାଳ ଓ ଭାରତୀୟ ଜନତା ପାର୍ଟିକୁ ଘେରିଥିଲା । ଯମୁନା ଉପରେ ଏକ ଡ୍ରେନ୍ ରେଗୁଲେଟର ବିଫଳ ହେବା ପରେ ଯମୁନା ପାଣି ଆଇଟିଓରେ ପ୍ରବେଶ କରିଥିଲା। ଫଳରେ ଟ୍ରାଫିକ୍ ଜାମ୍ ହୋଇଥିଲା।