କନ୍ଧମାଳରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଏବଂ ପ୍ରସବ ପରେ ମା ଓ ଶିଶୁର ମୃତ୍ୟୁ ପ୍ରସଙ୍ଗ: ହତ୍ୟା ଅଭିଯୋଗ ଆଣିଲେ ସ୍ମୃତି ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେଡି ସରକାରରେ ମା’କୁ ସମ୍ମାନର କେବଳ ପ୍ରଚାର ସର୍ବସ୍ୱ । ରାଜ୍ୟର ମା ଓ ଭଉଣୀ ଆଜି ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଓଡ଼ିଶାରେ ଆଦିବାସୀ ଅଧୁଷିତ ଅଂଚଳରେ ଦିନକୁ ଦିନ ନାବାଳିକା, ମହିଳା ଓ ଶିଶୁ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ସରକାର ସବୁ ଜାଣିବି ଚୁପ୍ ରହୁଛନ୍ତି । ବିଜେଡି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଓଡ଼ିଶାର ଆଦିବାସୀ ମହିଳାମାନେ ଦୁଷ୍କର୍ମରେ ଶିକାର ହୋଇ ପ୍ରାଣ ହରାଉଛନ୍ତି । ୨୩ ବର୍ଷର ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷାରେ ବିଫଳ ସାବ୍ୟସ୍ତ ହୋଇଛି । ବିଜେଡି ସରକାର ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁଷ୍କର୍ମରେ ମନ୍ତ୍ରୀ, ନେତାମାନେ ଲିପ୍ତ ରହୁଛନ୍ତି ।

ଗତ ୫ତାରିଖ ଦିନ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ବେଲଘର ଥାନା ଅନ୍ତର୍ଗତ ଗୁମା ପଂଚାୟତର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଓ ପ୍ରସବ କରିବା ପରେ ଶିଶୁ ଓ ମା’ର ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖର ବିଷୟ । ସଶକ୍ତିକରଣର ବାହାସ୍ପୋଟ ମାରୁଥିବା ଶାସକ ବିଜେଡି ବାସ୍ତବରେ ମହିଳାଙ୍କୁ ଶୋଷଣ କରିବାରେ ମାହିର ବୋଲି ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।

କନ୍ଧମାଳ ଜିଲ୍ଲା ସପ୍ତମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଗତ ୮ ତାରିଖ ଦିନ କନ୍ଧମାଳ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିବା ସହିତ ମୃତ ନାବାଳିକାର ପରିବାର, ସ୍କୃଲ କର୍ତୃପକ୍ଷ, ସ୍ଥାନୀୟ ପୋଲିସ ଓ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଘଟଣା ସଂପର୍କରେ ସୁଚନା ଦେଇ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ବିଦ୍ୟାଳୟ କତୃପକ୍ଷ, ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ନାବାଳିକାର ମୃତ୍ୟୁ ହୋଇଥିଲା । ତେଣୁ ନାବାଳିକାର ମୃତ୍ୟୁ ହୋଇନାହିଁ ବରଂ ତାକୁ ହତ୍ୟା କରାଯାଇଛି । ଏଭଳି ଅମାନବୀୟ ଘଟଣା ପାଇଁ ଦାୟୀ ସମସ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ଶ୍ରୀମତୀ ପଟ୍ଟନାୟକ ଦାବୀ କରିଛନ୍ତି ।

ଋାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ମୃତ ନାବାଳିକା ଗର୍ଭବତୀ ହୋଇଥିଲେ ମଧ୍ୟ ସ୍କୃଲ କର୍ତୃପକ୍ଷ ଜାଣିନଥିବା ବୋଲି କହିବା ଆଶ୍ଚର୍ଯ୍ୟଜନକ । ନାବାଳିକାଙ୍କ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେବାରୁ ଚିକିତ୍ସା ପାଇଁ ଯାଇଥିବାବେଳେ ନାବାଳିକାଟି ୩୧ ସପ୍ତାହର ଗର୍ଭବତୀ ହୋଇଥିବା ଡାକ୍ତର କହିଥିଲେ । ସ୍ୱାଧାର ଗୃହରେ ଥିବା ସମୟରେ ନାବାଳିକାଟି ପ୍ରସବ କରିଥିଲା ଏବଂ ପରବର୍ତୀ ସମୟରେ ଚିକିତ୍ସା ଅବହେଳାରୁ ତାର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପଡିଥିଲା । ପ୍ରକୃତ ଚିକିତ୍ସା ଅଭାବରୁ ଶେଷରେ ନାବାଳିକା ଏବଂ ତାର ନବଜାତ ଶିଶୁର ମୃତ୍ୟୁ ହୋଇଥିଲା । ନାବାଳିକାଙ୍କ ମୃତ୍ୟୁଲାଗି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଓ ସ୍କୁଲ କତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ । ନାବାଳିକାର ପରିବାରକୁ କ୍ଷତିପୁରଣ ବାବଦରେ ତୁରନ୍ତ ୨୦ ଲକ୍ଷ ଟଙ୍କା ଏବଂ ପରିବାରର ଜଣେ ସଦସ୍ୟକୁ ଚାକିରୀ ଯୋଗାଇ ଦେବା ପାଇଁ ଶ୍ରୀମତୀ ପଟ୍ଟନାୟକ ଦାବୀ କରିଛନ୍ତି ।

ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବ କାରଣରୁ ସେମାନଙ୍କୁ ସାବତ ପୁଅ ପରି ବ୍ୟବହାର ପ୍ରଦର୍ଶନ କରାଯାଉଛି । ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ବଂଚିତ ରଖାଯାଉଛି । ଆଦିବାସୀଙ୍କ କଲ୍ୟାଣ ପାଇଁ ମୋଦି ସରକାର ବହୁ ଯୁଗାନ୍ତକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରୁଥିବାବେଳେ ଅନ୍ୟ ପଟେ ଓଡିଶାରେ ଶାସକ ବିଜେଡି ବାଧକ ସାଜିଛି । ଓଡିଶାରେ ମହିଳା ଅତ୍ମ୍ୟାଚାର, ଶିଶୁ ଅପହରଣ ଓ ଦୁଷ୍କର୍ମ ଘଟଣା ବଢୁଥିବା ଏନସିଆରବି ରିପୋର୍ଟରେ ସାମ୍ନାକୁ ଆସିଛି । ୨୦୧୭ ମସିହାରେ ୧୬୨୨ ବାଳିକା ନିଖୋଜ ହୋଇଥିବାବେଳେ ୧୪୭୮ଜଣ ଉଦ୍ଧାର ହୋଇଥିଲେ । ୨୦୨୧ମସିହାରେ ୨୪୫୨ ନିଖୋଜ ହୋଇଥିବାବେଳେ ୧୫୧୨ଉଦ୍ଧାର ହୋଇଛନ୍ତି । ୨୦୧୭ମସିହାରେ ୬୫୩୬ ମହିଳା ନିଖୋଜ ହୋଇଥିବାବେଳେ ୩୬୧୭ ଉଦ୍ଧାର ହୋଇଛନ୍ତ ଓ ୨୦୨୧ରେ ନିଖୋଜ ୭୩୧୬ ହୋଇଥିବା ୧୪୭୫ ଉଦ୍ଧାର ହୋଇଛନ୍ତି । ଓଡିଶାରେ ମହିଳା ନିଖୋଜ ସଂଖ୍ୟା ବଢ଼ିଥିବାବେଳେ ଉଦ୍ଧାର କାର୍ଯ୍ୟ କମିଛି । ବର୍ଷକରେ ଦୁଷ୍କର୍ମ ମାମଲା ୧୧% ବଢ଼ିବା ସହ ଯୌତୁକ ନିର୍ଯ୍ୟାତନା ୩୨% ବଢ଼ିଛି ଯାହା ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମୀମୟୀ ପଟ୍ଟନାୟକ, ମହିଳା ମୋର୍ଚ୍ଚା ଗଣମାଧ୍ୟମ ରାଜ୍ୟ ସଂଯୋଜକ ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.