ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ । ସଂରକ୍ଷଣ ପ୍ରସଙ୍ଗରେ ପୂର୍ବରୁ ଭୁଆଁ ବୁଲାଉଥିବା ରାଜ୍ୟ ସରକାର ବର୍ତମାନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖିଥିବା ରାଜ୍ୟ ସରକାର ୫୪ ପ୍ରତିଶତ ଓବିସିବର୍ଗକୁ କେବଳ ଅଣଦେଖା କରୁନାହିଁ ବରଂ ତାଙ୍କୁ ସାମ୍ବିଧାନିକ ଅଧିକାର, ଶିକ୍ଷା, ଚାକିରୀରୁ ଆଦି କ୍ଷେତ୍ରରେ ବଂଚିତ ରଖୁଛନ୍ତି । ନିର୍ବାଚନ ଆସିଲେ କୁମ୍ଭୀର କାନ୍ଦଣାର ଛଳନା କରି ଭ୍ରମିତ କରୁଥିବା ରାଜ୍ୟ ସରକାରଙ୍କ ବାସ୍ତବରେ ଓବିସିଙ୍କ ବିକାଶ ପାଇଁ କୈାଣସି ଇଚ୍ଛାଶକ୍ତି ନାହିଁ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ମଧ୍ୟପ୍ରଦେଶ ସରକାର ନିଜ ପ୍ରତିବଦ୍ଧତା କାରଣରୁ ଓବିସିଙ୍କୁ ସଂରକ୍ଷଣ ଦେବାରେ ସଫଳ ହୋଇଥିବାବେଳେ ଓଡିଶା ସରକାରଙ୍କ ଇଚ୍ଛାକୃତ ଭାବେ ସଂଖ୍ୟାଧିକ ଓବିସିବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରିଛନ୍ତି । ଗତ ଓଡିଶା ପଂଚାୟତ ନିର୍ବାଚନର ବହୁ ପୂର୍ବରୁ ମଧ୍ୟପ୍ରଦେଶ ରାଜ୍ୟରେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା । ଯଦିଓ ମଧ୍ୟପ୍ରଦେଶରେ ଓବିସି ବର୍ଗଙ୍କ ସଂଖ୍ୟା ଓଡିଶା ରାଜ୍ୟରୁ କମ୍ ତଥାପି ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ବିନା ଓବିସି ସଂରକ୍ଷଣରେ ନିର୍ବାଚନ କରିବୁ ନାହିଁ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଥିଲେ । ଓଡିଶା ସରକାର ଏହି ସମୟରେ ରାଜ୍ୟରେ ଓବିସି ବର୍ଗଙ୍କ ସଂଖ୍ୟା ଓ ଅନୁପାତ ସଂପର୍କିତ କୈାଣସି ତଥ୍ୟ ନାହିଁ ବୋଲି ମାନ୍ୟବର ହାଇକୋର୍ଟଙ୍କୁ ଅବଗତ କରାଇଥିଲେ । ଗତ ୩ ଦିନ ତଳେ ମଧ୍ୟପ୍ରଦେଶରେ ଓବିସିବର୍ଗଙ୍କୁ ସଂରକ୍ଷଣ ଦେଇ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ପଟେ ଓବିସିଙ୍କ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ପ୍ରତିବଦ୍ଧତା ଦେଖିବାକୁ ମିଳୁଥିବାବେଳେ ଅନ୍ୟ ପଟେ ଓଡିଶା ସରକାରଙ୍କ ଓବିସି ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ଓବିସିବର୍ଗଙ୍କୁ ଶକ୍ତ ଆଘାତ ଦେଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଓବିସି କମିଶନ ଗୋଟିଏ ସାମ୍ବିଧାନିକ ପଦବୀ ଏବଂ ସେ ନିରପେକ୍ଷତା ଅବଲମ୍ବନ କରିବା ଉଚିତ୍ । ରାଜ୍ୟରେ ଥିବା ଓବିସିବର୍ଗଙ୍କ ସ୍ୱାର୍ଥର ସୁରକ୍ଷା ତାଙ୍କ ପାଇଁ ପ୍ରାଥମିକତା ହେବା ଉଚିତ୍ । ମାତ୍ର ବହୁ ବିଳମ୍ବରେ ନିଯୁକ୍ତ ହୋଇଥିବା ଏବଂ ରାଜ୍ୟ ସରକାରଙ୍କ ହାତରେ କଣ୍ଡେଇ ସାଜିଥିବା ରାଜ୍ୟ ଓବିସି କମିଶନ କରୁଛନ୍ତି କଣ? ଓବିସି ବର୍ଗଙ୍କ ସ୍ୱାର୍ଥକୁ ବଳି ପକାଇ କାହା ସ୍ୱାର୍ଥରେ କମିଶନ କାର୍ଯ୍ୟ କରୁଛନ୍ତି ? ଓବିସି ବର୍ଗ ନିଜ ହକ୍ରୁ ସବୁଦିନ ପାଇଁ ବଂଚିତ ରହିବା କାର୍ଯ୍ୟକୁ କମିଶନ ମହୋଦୟ ସଂପାଦନା କରୁଛନ୍ତି କି? କେଉଁ କେଉଁ ଜାତି ଓବିସିବର୍ଗରେ ଅନ୍ତର୍ଭୁକ୍ତ ହେବେ, ସେହି ତାଲିକା ପ୍ରସ୍ତୁତି ହୋଇପାରିନାହିଁ କାହିଁକି ? ନିଯୁକ୍ତି ପାଇବା ପରଠାରୁ ଓବିସିବର୍ଗଙ୍କ ସ୍ୱାର୍ଥ ପାଇଁ କମିଶନ ମହୋଦୟ କଣ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ? ରାଜ୍ୟରେ ଥିବା ଓବିସିବର୍ଗଙ୍କ ସଂଖ୍ୟା ଓ ଅନୁପାତ ସଂପର୍କରେ କେବେ ରିପୋର୍ଟ ଦେବେ କମିଶନ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର କମିଶନଙ୍କୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି କି ନାହିଁ ? ଯଦି ଦେଇନାହାନ୍ତି ତାହାଲେ କାହିଁକି ? ପଂଚାୟତ ନିର୍ବାଚନ ସମାପ୍ତ ହେବାର ୪ମାସ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାର କାହିଁକି ପୁନର୍ବାର ଓବିସି ସଂରକ୍ଷଣ ସଂପର୍କରେ କୋର୍ଟର ଦ୍ୱାରସ୍ଥ ହୋଇନାହାନ୍ତି ? ମଧ୍ୟପ୍ରଦେଶ ସଂପର୍କରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଆସିବାର ୩ ଦିନ ବିତିଯାଇଥିଲେ ସୁଦ୍ଧା ଓଡିଶା ସରକାର କାହିଁକି କୈାଣସି ତତ୍ପରତା ପ୍ରକାଶ କରିନାହାନ୍ତି । ରାଜ୍ୟ ସରକାର ଓବିସି ବିରୋଧୀ ମନୋଭାବକୁ ପରିତ୍ୟାଗ ନକଲେ ଓବିସି ମୋର୍ଚ୍ଚା ଲୋକଙ୍କ ପାଖକୁ ଯାଇ ଏବଂ ଲୋକମାନଙ୍କ ସହିତ ରାଜରାସ୍ତାରେ ଅନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି ।