ସମ୍ବଲପୁରରେ ବିଜେପି ଟିମ୍ ଥାନାରେ ଅଟକ, ଧର୍ମେନ୍ଦ୍ର କହିଲେ ରାଜଧର୍ମ ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମ୍ବଲପୁର-ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ବିଜେପି ଟିମକୁ ଅଟକ ରଖିଛି ପୁଲିସ । ଏହି ଟିମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଧାୟକ କୁସୁମ ଟେଟେ, ଶଙ୍କର ଓରାମ, ପୂର୍ବତନ ମନ୍ତ୍ରୀ କେଭି ସିଂଦେଓ ଓ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି। ସେମାନଙ୍କୁ ଠେଲକୁଲି ଥାନାରେ ଅଟକ ରଖାଯାଇଛି। ଏହି ଟିମ୍ ସମ୍ବଲପୁର ଯାଇ ଆହତଙ୍କୁ ଭେଟିବାକୁ ଯାଇଥାନ୍ତେ ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥାନ୍ତେ। ତେବେ ଏନେଇ ମନମୋହନ ସାମଲ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ନବୀନ ବାବୁ ବିଜେପିର ଛାଇକୁ ଡରିଲେଣି। ସାଂସଦଙ୍କର ସ୍ବାଧିକାର ଭଙ୍ଗ ହୋଇଛି।

ମୁଖ୍ୟମନ୍ତ୍ରୀ ଅନେକ ବିଷୟରେ ଜାଣିପାରୁନାହାନ୍ତି କିମ୍ବା ତାଙ୍କୁ ଜଣାଯାଉନାହିଁ ତେଣୁ ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରିବା ସହ ନିରପେକ୍ଷ ରୁହନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦଳୀୟ କର୍ମୀମାନେ ଦଳର କାମ କରିବେ ମାତ୍ର କିଛି ପୋଲିସ କର୍ମୀଙ୍କୁ ଆଇନଶୃଙ୍ଖଳାରୁ ଦୂରେଇ ନେଇ ଦଳୀୟ କାମରେ ଲଗାଇବା ଗଣତନ୍ତ୍ରରେ ଶୁଭ ଲକ୍ଷଣ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସମ୍ବଲପୁର ହିଂସା ଓ ବିଜେପି ନେତାଙ୍କୁ ଥାନାରେ ଅଟକ ରଖାଯିବା ଘଟଣାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ସହରରେ ଅଭାବନୀୟ ଘଟଣା ଘଟିବାର ପ୍ରାୟ ଏକ ସପ୍ତାହ ହେଲାଣି। ହନୁମାନ ଜୟନ୍ତୀ ଶୋଭାଯାତ୍ରାର ଅବ୍ୟବହିତ ପୂର୍ବରୁ ସୂଚନା ଦିଆଯିବା ସତ୍ତ୍ୱେ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଦିଆଯାଇ ନଥିବା ପ୍ରଶାସନ ସ୍ୱୀକାର କରିଛି। ପୂର୍ବରୁ ରାମନବମୀ ଓ ହନୁମାନ ଜୟନ୍ତୀରେ ଶାନ୍ତିଭଙ୍ଗ ସମ୍ଭାବନା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଦେଶର ଅନ୍ୟ ରାଜ୍ୟ ସମେତ ଓଡିଶାକୁ ମଧ୍ୟ ସତର୍କ କରାଯାଇଥିଲା। ଘଟଣାସ୍ଥଳରେ ଗତବର୍ଷ ତୁଳନାରେ ବହୁତ କମ ସୁରକ୍ଷାକର୍ମୀ ନିୟୋଜିତ ଥିବା ସ୍ଥାନୀୟ ନାଗରିକମାନେ ଅଭିଯୋଗ କରିବା ସନ୍ଦେହ ସୃଷ୍ଟି କରୁଛି।

ସେ କହିଛନ୍ତି, ଅଶାନ୍ତ ସମ୍ବଲପୁର ପଛରେ ରାଜ୍ୟ ସରକାରଙ୍କର ଅପାରଗତା ମୁଖ୍ୟତଃ ଦାୟୀ। ଏହି ଘଟଣା ଘଟିବା ପରେ ରାଜ୍ୟ ସରକାର ରାଜଧର୍ମ ପାଳନ କରିବା ପରିବର୍ତ୍ତେ ପକ୍ଷଭୁକ୍ତ ହେଉଥିବା ଭଳି ଅଭିଯୋଗ ଆସୁଛି। ରାଜ୍ୟ ସରକାର ଏକତରଫା ନିଷ୍ପତି ନେଇ ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି। ଆଜି କର୍ଫ୍ୟୁର କୋହଳ ସମୟରେ ଆରଡିସିଙ୍କ ଅନୁମତି ନେଇ ରାଜ୍ୟ ସଭାପତିଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଓ ଅନେକ ସାଂସଦ ଏବଂ ବିଧାୟକମାନେ ସମ୍ବଲପୁର ଘଟଣାରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ବରିଷ୍ଠ କାର୍ଯ୍ୟକର୍ତ୍ତା ଦାମୋଦର କରଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖିବା ଦୁର୍ଭାଗ୍ୟଜନକ। ଶ୍ରୀ ପ୍ରଧାନ କହିଛନ୍ତି, ଗଣତନ୍ତ୍ରରେ ପ୍ରତିପକ୍ଷ ଲୋକଙ୍କୁ ଭେଟିବାକୁ ଦେବା ନାହିଁ, ସମାଲୋଚନା କରୁଥିବା ଲୋକଙ୍କ ପ୍ରତି ଅସହିଷ୍ଣୁ ହେବା, ଏହି ଘଟଣାରେ ଗୁରୁତର ହୋଇଥିବା ଲୋକ ମାନଙ୍କୁ ଦେଖିବା ପାଇଁ ବାରଣ କରାଯିବା କ’ଣ ଶାସନ ବ୍ୟବସ୍ଥା କି ବୋଲି ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.